ଆରମ୍ଭ ହେଲା “ଓଡ଼ିଶା: ମୋ ପରିବାର” କାର୍ଯ୍ୟକ୍ରମ; ୩ଟି ବିଷୟରେ ଦିଆଯାଇଛି ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମାଜ ସେବା କାର୍ଯ୍ୟକ୍ରମ “ଓଡ଼ିଶା: ମୋ ପରିବାର” ସମ୍ପର୍କରେ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ,ଗତ ଅକ୍ଟୋବର ୨ରେ ଦଳର ପଦଯାତ୍ରା(ଗାନ୍ଧି ଜୟନ୍ତୀ) ଅବସରରେ ମୁଖ୍ୟମନ୍ତ୍ରୀ ଦଳର ସମାଜ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । “ଓଡ଼ିଶା: ମୋ ପରିବାର” ସମ୍ପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଓଡ଼ିଶା ମା’ର ସେବା କରି ଚାଲିଛି । ସେବା, ସଂଗ୍ରାମ ଓ ସ୍ୱାଭିମାନ ହେଉଛି ଆମ ଦଳର ଆଦର୍ଶ । ଓଡ଼ିଶାବାସୀଙ୍କ ଆଶୀର୍ବାଦ ଆମର ଶକ୍ତି ।

“ଚଳିତ ବର୍ଷ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ‘ଅହିଂସା’ କୁ ଆମ ସମ୍ବିଧାନର ମୁଖବନ୍ଧରେ ସ୍ଥାନି କରିବା ପାଇଁ ମୁଁ ଦାବୀ କରିଆସିଛି । ଗାନ୍ଧିଜୀ ଥିଲେ ସେବାର ପ୍ରତୀକ, ତାଙ୍କର ୧୫୦ତମ ଜୟନ୍ତୀ ବିଜୁ ଜନତା ଦଳ ‘ଓଡ଼ିଶା: ମୋ ପରିବାର’ କାର୍ଯ୍ୟକ୍ରମ ଜରିଆରେ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଉଛି । ଏହି କାର୍ଯ୍ୟକ୍ରମ ଦଳର ଏକ ପ୍ରମୁଖ ଅଂଶ ଭାବରେ ସର୍ବଦା କାର୍ଯ୍ୟ କରିବ ।”

“ବିଜୁ ବାବୁ ଆମର ଆଦର୍ଶ, ସେ ଓଡ଼ିଆମାନଙ୍କୁ ବହୁତ ଭଲ ପାଉଥିଲେ ଓ ଓଡ଼ିଆ ଜାତିର ଗୌରବ ପାଇଁ ସବୁବେଳେ କାମ କରୁଥିଲେ । ସେ ଥିଲେ ବିଶାଳ ହୃଦୟର ଅଧିକାରୀ । ଗରିବ, ଦୁଃଖୀରଙ୍କି ତଥା ବିପଦରେ ପଡିଥିବା ଲୋକଙ୍କୁ ସେ ହିଁ ପ୍ରଥମେ ସହାୟତାର ହାତ ବଢ଼ାଉଥିଲେ । ‘ଓଡ଼ିଶା: ମୋ ପରିବାର’ କାର୍ଯ୍ୟକ୍ରମ ବିଜୁବାବୁଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ।”

“ଓଡ଼ିଶାବାସୀ ସବୁବେଳେ ବିଜୁ ଜନତା ଦଳ ସାଥିରେ ରହି ଆସୁଛନ୍ତି । ବିଜୁ ଜନତା ଦଳର ସବୁ କାର୍ଯ୍ୟକ୍ରମକୁ ଦୃଢ଼ ଭାବରେ ସମର୍ଥନ କରି ଆସିଛନ୍ତି । ଓଡ଼ିଶାବାସୀଙ୍କ ଭଲପାଇବା ମୋତେ ସବୁଦିନ ପାଇଁ ଋଣୀ କରିଛି ।”

“ସାଢ଼େ ଚାରିକୋଟି ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର । ସେମାନଙ୍କ ମଙ୍ଗଳ ପାଇଁ ମୁଁ ସବୁବେଳେ କାମ କରୁଛି । ସେହି କାମକୁ ଆହୁରି ଆଗକୁ ନେବାକୁ ମୁଁ ‘ଓଡ଼ିଶା: ମୋ ପରିବାର’ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ୩ଟି ବିଷୟ ଉପରେ ଗୁରୁତ୍ୱ ଦେବ ।
୧. ପରିବେଶ ସୁରକ୍ଷା:
ଏଥିପାଇଁ ଆମର କର୍ମୀ ଭାଇଭଉଣୀମାନେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବେ ଏବଂ ଏ ଦିଗରେ ଲୋକଙ୍କୁ ସଚେତନ କରାଇବେ ।
୨.ରକ୍ତଦାନ ସେବା ଓ କଲ୍ୟାଣ:
ଆମର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗରେ ବେଶ ସଫଳତାର ସହ ଚାଲିଛି । ରକ୍ତଦାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ମୋର ଲକ୍ଷ୍ୟ । ଏହାକୁ ଏକ ପବିତ୍ର ଦାୟିତ୍ୱ ଭାବରେ ଜ୍ଞାନ କରି ସମସ୍ତେ ଆଗେଇ ଆସିବା ଉଚିତ୍ ।
୩.ବିପନ୍ନ ଓଡ଼ିଆଙ୍କୁ ସହାୟତା:
ଦେଶ ତଥା ବିଦେଶରେ କାମ କରୁଥିବା ଓଡ଼ିଶାବାସୀମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କର ବିପଦ ସମୟରେ ସେମାନଙ୍କ ସାଥିରେ ରହି ସେମାନଙ୍କୁ ଓ ତାଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ଆମ ଦଳର କର୍ମୀମାନେ କାର୍ଯ୍ୟ କରିବେ ।

ଓଡ଼ିଆବାସୀଙ୍କ ଆଶୀର୍ବାଦ ମୋତେ ସେବାର ସୁଯୋଗ ଦେଇଛି । ସେଥିପାଇଁ ମୁଁ କୃତଜ୍ଞ । ମୋର ବିଶ୍ୱାସ ବିଜୁ ଜନତା ଦଳର ‘ଓଡ଼ିଶା: ମୋ ପରିବାର’ କାର୍ଯ୍ୟକ୍ରମ ଓଡ଼ିଶାବାସୀଙ୍କ ପୂର୍ଣ୍ଣ ସହଯୋଗରେ ଲୋକଙ୍କୁ ସେବା ଯୋଗାଇବାରେ ସଫଳ ହେବ ।

ଏହି କାର୍ଯ୍ୟକ୍ରମ ପାଇଁ ମୁଁ ଶ୍ରୀ ଅରୁପ କୁମାର ପଟ୍ଟନାୟକଙ୍କୁ ଆବାହକ ଭାବେ ଏବଂ ଶ୍ରୀ ପିନାକୀ ମିଶ୍ର, ଡା.ଅଚ୍ୟୁତନନ୍ଦ ସାମନ୍ତ, ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଶ୍ରୀ ନଳୀନିକାନ୍ତ ପ୍ରଧାନଙ୍କୁ ସହ ଆବାହକ ଭାବେ ନିଯୁକ୍ତ କରିଛି । ସେହିଭଳି ଶ୍ରୀ ମନୋହର ରାନ୍ଧାରୀ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଧିର ସାମଲ, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀ ସଂଜୀବ ମଲ୍ଲୀକ, ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀମତୀ ରିତା ତରାଇ, ଶ୍ରୀମତୀ ଭାରତୀ ସିଂ, ଶ୍ରୀମତୀ ସନ୍ଧ୍ୟାକୁମାରୀ ନାୟକ, ଶ୍ରୀମତୀ ଡେଜାଲିନ୍ ମହାପାତ୍ର ଓ ଶ୍ରୀ ଗୌରହରୀ ମିଶ୍ରଙ୍କୁ ସଭ୍ୟ ଭାବେ ନିଯୁକ୍ତ କରିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।