ବିଧାନସଭାରେ ବିରୋଧୀ ଭୂମିକାରେ ଶାସକ ସଦସ୍ୟ

ଭୁବନେଶ୍ବର : ବିଧାନସଭାରେ ବିରୋଧୀ ଭୂମିକାରେ ଶାସକ । ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଯେତିକି ଘେରୁ ନାହାନ୍ତି ଶାସକ ଦଳର ସଦସ୍ୟ ସେତିକି ଅଡୁଆରେ ପକାଉଛନ୍ତି । ପ୍ରଶ୍ନ ଓ ଅତିରିକ୍ତ ପ୍ରଶ୍ନ ପଚାରି ସରକାରଙ୍କୁ ଆକ୍ରମଣ କରୁଛନ୍ତି । ଆଉ ତାହା ସହ ଶୂନ୍ୟକାଳରେ ସରକାଙ୍କୁ ଘେରୁଛନ୍ତି ବିଜେଡିର କିଛି ନୂଆ ପୁରୁଣା ସଦସ୍ୟ । ଆଉ ଶାସକ ଦଳର ବିଧାୟକଙ୍କ ଏପରି ଆଚରଣକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି  ବିରୋଧୀ, କହିଛନ୍ତି ବିରୋଧୀ ନୁହେଁ ଶାସକ ଦଳ ସଦସ୍ୟଙ୍କ ସରକାରଙ୍କ ଉପରେ ଭରସା ନାହିଁ ।

ସରକାଙ୍କୁ ଅଡୁଆ ଶାସକ ଦଳର ସଦସ୍ୟ । ବିଦ୍ରୋହୀ ଭୂମିକାରେ ବିଜେଡି ବିଧାୟକ । ବିଧାନସଭାରେ ଶାସକ ଦଳ ବିଧାୟକଙ୍କ ସରକାରଙ୍କୁ ସଣ୍ଢୁଆସି ଆକ୍ରମଣ । ପ୍ରଶ୍ନ କାଳ ହେଉ ବା ଶୂନ୍ୟକାଳ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳର ବିଧାୟକଙ୍କ ଅପେକ୍ଷା ଶାସକ ଦଳ ସଦସ୍ୟ ମନ୍ତ୍ରୀଙ୍କୁ ଅଧିକ ଛନ୍ଦୁଛନ୍ତି । ପ୍ରଶ୍ନ ଓ ଅତିରିକ୍ତ ପ୍ରଶ୍ନ କରି ସରକାରଙ୍କ ପାରିବା ପଣିଆ ପଦାରେ ପକାଉଛନ୍ତି ବିଜେଡି ବିଧାୟକ। ଆଜି ବି ବିଧାନସଭାରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।ଜଳସେଚନ ବିଭାଗର  ପ୍ରଶ୍ନ କାଳରେ ଶାସକ ଦଳର ନୂଆ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ଲତିକା ପ୍ରଧାନ, ସୌମ୍ୟରଞ୍ଜନ ପଟ୍ଟନାୟକ ସରକାଙ୍କୁ ଅତିରିକ୍ତ ପ୍ରଶ୍ନ କରି ମନ୍ତ୍ରୀଙ୍କୁ ଅଡୁଆରେ ପକାଇଥିଲେ ।ସରକାର ଚେକଡ୍ୟାମ କରିବା କଥା କହୁଥିଲେ ବି ତାହା ଚାଲୁନି ବୋଲି ସଫା ସଫା ବତେିଥିଲେ ।  ଆଉ ଶୁନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳର ନେତା । ସରକାରଙ୍କୁ ଟାଗେର୍ଟ କରି ନରସିଂହ ମିଶ୍ର କହିଥିଲେ ବିଧାନସଭାରେ ସରକାରଙ୍କ ଠୁ ସଠିକ ଉତ୍ତର ମିଳୁନି ।ସରକାର ଅନେକ ସମୟରେ ପ୍ରସଙ୍ଗ ଟାଳୁଛନ୍ତି । ଏକଥା ବିରୋଧୀ ସଦସ୍ୟ ନୁହେଁ ଖୋଦ ଶାସକ ଦଳର ସଦସ୍ୟ ବି କହିଲେଣି ।

ବିଜେଡି ଲଗାତାର ପଞ୍ଚମ ଥର ଲାଗି ସରକାରକୁ ଆସିଛି । ଦଳ ପାଖରେ ୧୧୨ ସଂଖ୍ୟା ଅଛି । ତଥାପି ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖି ନପାରି ହଟହଟା ହେଉଛନ୍ତି ମନ୍ତ୍ରୀ । ଖୋଦ ଶାସକ ଦଳର ବହୁ ବରିଷ୍ଠ ବିଧାୟକ ଗୃହରେ ସରକାରଙ୍କୁ ଘେରୁଛନ୍ତି । ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରଦୀପ ମହାରଥୀ, ଭୂପିନ୍ଦର ସିଂହଙ୍କ ଠାରୁ ଆରମ୍ଭ କରି ନୂଆ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପରି ବିଧାୟକ ଏହି ତାଲିକାରେ ଅଛନ୍ତି । ଏମିତିବି ସୌମ୍ୟ ପଟ୍ଟନାୟକ ତ ସରକାରଙ୍କୁ ବୁଲେଇ ବଙ୍କେଇ ଅହଙ୍କାରୀ ବୋଲି କହିବାକୁ ପଛେଇ ନାହାନ୍ତି । ମଦ କାରବାରରେ ସରକାର ମହିଳାଙ୍କୁ ସମ୍ମାନ ନଦେବା କଥଆ କହି ଅଡୁଆରେ ବି ପକାଇଛନ୍ତି । ହେଲେ ଦଳର କହିବା କଥା ଗୃହରେ ନିଜ ନିଜ କଥା କହିବା ଓ ଲୋକଙ୍କ ପ୍ରଶ୍ନ ଉଠାଇବାରେ ଅଡୁଆରେ କେଉଁଠି ।

ବିଧାନସଭାରେ ମନ୍ତ୍ରୀ ରଖୁଥିବା ଉତ୍ତର ଅନେକ ସମୟରେ ତାଳ ମେଳ ରହୁନଥିବା କଥା ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟ ଉଠାଇଛନ୍ତି । ଏମିତିକି ତଥ୍ୟ ନଥିବା କହି ପରେ ଯଓଗାଇଦେବେ କହି ଖସିଯାଉଛନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ ପାଉଛି । ଆଉ ଏହି ତାଲିକାରେ ବିରୋଧୀଙ୍କ ସହ ଶାସକ ଦଳର ସଦସ୍ୟ ସ୍ବର ମିଳାଇବା ସରକାରଙ୍କୁ ଅଡୁଆରେ ପକାଉଛି ।