ବିଜେଡିରୁ ବିଦା ହେଲେ ଦାମଦୋର ରାଉତ, ଦଳରୁ ବହିଷ୍କାର କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ ବିଜେଡିର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ବିଜେଡି ବିଜେଡି ସୁପ୍ରିମୋ( ସଭାପତି ) ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଦାମଦୋର ରାଉତଙ୍କୁ ବହିଷ୍କାର କରାଯାିଥିବାନେଇ ବିଜେଡି ସଂପାଦକ ବିଜୟ ନାୟକ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗତ କିଛି ଦିନ ହେବ ଦଳ ଓ ସରକାର ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ ଦାମୋଦର। ଚାରା, ଓମ୍‌ଫେଡ୍‌, ସମବାୟ, ସ୍ୱାସ୍ଥ୍ୟ ବିଭାଗରେ କେଳେଙ୍କାରୀ ହୋଇଛି ବୋଲି ଅଭିଯୋଗ ଆଣି ଗଣମାଧ୍ୟମ ସାମ୍ନାରେ ଗର୍ଜୁଥିଲେ । ଠିକ୍‌ ଏମିତି ଏକ ସମୟରେ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଦାମଙ୍କୁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋ ସହିତ ଯୋଡିଥଲେ । ନବୀନଙ୍କୁ ଦେଇଥିବା ଅଭିଯୋଗ ଜରିଆରେ କହିଛନ୍ତି, ଟିଟୋ ଲିଙ୍କ୍‌ରେ ଗିରଫ ହୋଇଥିବା ବାପୁ ପରିଡା ସପକ୍ଷରେ ମନ୍ତବ୍ୟ ଦେଇଥିଲେ ଦାମୋଦର। ପାରାଦୀପରେ ଜୁଲମ କରିଛନ୍ତି। ତିର୍ତ୍ତୋଲର ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ଦ୍ୱାରା କଂଗ୍ରେସର ୨୦୦୦ ମସିହାରୁ ବହୁ ପୁରୁଣା କର୍ମୀଙ୍କୁ ପୌର ପରିଷଦ ସଭାନେତ୍ରୀ କରାଇଛନ୍ତି। ଦଳର ରାଜ୍ୟ ସଭାପତିଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବାକୁ ଭୁଲୁନାହାନ୍ତି। କେବଳ ସେତିକି ନୁହେଁ, ଲୋକସଭା ସାଂସଦ କୁଳମଣି ଦାସଙ୍କୁ ପ୍ରଭାବିତ କରି ଜଗତସିଂହପୁର ଓ ନାଉଗାଁ ଅଞ୍ଚଳରେ କୌଣସି କାର୍ଯ୍ୟରେ ସହଯୋଗ ନ କରିବାକୁ ପ୍ରବର୍ତାଉଛନ୍ତି।

ସେହିପରି ବିଧାୟକ ପ୍ରଶାନ୍ତ ମୁଦୁଲି ଜଣାଇଥିଲେ, ନିର୍ବାଚନ ମାତ୍ର ଚାରି ପାଞ୍ଚ ମାସ ଥିବା ବେଳେ ଦାମୋଦର ତାଙ୍କ ନିର୍ବାଚନମଣ୍ଡଳୀ ବାଲିକୁଦା-ଏରସମାରେ ଦଳ ବିରୋଧୀ କାର୍ଯ୍ୟ ଜାରି ରଖିଛନ୍ତି। ଦଳକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ଚାଲିଛି। କଂଗ୍ରେସ ଓ ବିଜେପି ସହିତ ସଂପର୍କ ରଖି ଦଳୀୟ କର୍ମୀଙ୍କ ମନକୁ ଦୁର୍ବଳ କରୁଛନ୍ତି। ଗତକାଲି ଏରସମାରେ ବିପ୍ଳବ ଦିବସ କରି ଏଥିରେ କଂଗ୍ରେସ ଓ ବିଜେପି ନେତାଙ୍କୁ ସାମିଲ କରିଥିଲେ। ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରଘୁନନ୍ଦନ ଦାସ, କଂଗ୍ରେସ ନେତା ବିପ୍ଳବ ଚୌଧୁରୀ, ସୁଶାନ୍ତ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିଲେ। ଡାକ୍ତର ରାଉତଙ୍କ ଉପସ୍ଥିତିରେ ସେମାନେ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ହେଲେ ତାଙ୍କ ସହିତ ଯୋଗାଯୋଗ କଲେନି ବରଂ କଂଗ୍ରେସ ଓ ବିଜେପି ନେତାଙ୍କ ଗହଣରେ ସଭାକୁ ଆସିଲେ।