ପାକିସ୍ତାନରେ ବିଜେଡି ବିଧାୟକଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ପାକିସ୍ତାନରେ ଏବେ ବିଜେଡି ବିଧାୟକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ନେଇ ସାରା ଭାରତବର୍ଷକୁ ଚକିତ କରିଦେଇଛି । ପୁଲୱାମାରେ ସହିଦ୍ ଓଡିଆ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ଦାଦାଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ତଂଟିଆ ମାରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପାକିସ୍ତାନ ଟିଭିରେ ଚର୍ଚ୍ଚା ହୋଇଛି । ତେବେ ଏହି ଘଟଣାକୁ ନେଇ ପାକିସ୍ତାନର ଏକ ଟିଭି ଚ୍ୟାନେଲ ନିଜ ଢ଼ଙ୍ଗରେ ଉପସ୍ଥାପନା କରିଛି । ସମ୍ପୃକ୍ତ ଟିଭି ଚ୍ୟାନେଲ ଉପସ୍ଥାପନା କରି କହିଛି ଯେ, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କୁ ନେଇ ରାଜନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତିି । ଅନ୍ୟପଟେ ବିଜେଡି ବିଧାୟକ କେଉଁଭଳି ଭାବେ ସହିଦ୍ଙ୍କ ଦାଦାଙ୍କୁ ଅସମ୍ମାନ କରୁଛନ୍ତି । ଏହି ଘଟଣାକୁ ନେଇ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ନିଃସର୍ତ କ୍ଷମା ପ୍ରାର୍ଥନା ସହ ଦୁଃଖ ପ୍ରକାଶ କରିଛନ୍ତି । ସହିଦ୍ଙ୍କ ଅନ୍ତିମ ସଂସ୍କାରବେଳେ କିଛି ଲୋକ ସେଠାରେ ବିଶୃଙ୍ଖଳା କରୁଥିଲେ । ସେଥିପାଇଁ ତାଙ୍କୁ ଟାଣି ଆଣି ବସାଇଦେଇଥିଲେ । ତେବେ ସେ ସହିଦ୍ଙ୍କ ସମ୍ପର୍କୀୟ ବୋଲି ଜାଣି ନ ଥିବା କହିଛନ୍ତି କଟକ-ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ।