ଟ୍ରାଫିକ୍‌ ନିୟମ ଭାଙ୍ଗି ଜରିମାନା ଗଣିଲେ ବିଧାୟକ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର:ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବାରୁ ବିଧାୟକଙ୍କୁ ମଧ୍ୟ ତଣ୍ଡ ଗଣିବାକୁ ପଡ଼ିଛି । ଟ୍ରାଫିକ୍‌ ନିୟମ ବାବଦରେ ଲୋକଙ୍କୁ ସଚେତନତା କରିବାକୁ ଯାଇଥିବା ବିଧାୟକ ଜରିମାନା ଦେଇଛନ୍ତି । ସେ ହେଉଛନ୍ତି ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା । ସେ ବେଆଇନ ଭାବରେ ଏଜି ଛକରେ ଗାଡ଼ି ପାର୍କିଂ କରିଥିବାରୁ ଜରିମାନା ଦେଇଛନ୍ତି ।

ଆଜି କମିଶନରେଟ୍‌ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ନିମନ୍ତ୍ରିତ ଅତିଥି ଅନନ୍ତ ନାରାୟଣ ଜେନା ଯୋଗ ଦେବାକୁ ଯାଇଥିଲେ । ସେ ନିଜେ ଚକୋଲେଟ୍‌ ଓ ଲିଫ୍‌ ଲେଟ୍‌ ଦେଇ ଲୋକଙ୍କୁ ସଚେତନ କରୁଥିଲେ । କିନ୍ତୁ ତାଙ୍କ ଗାଡ଼ି ଏଜି ଛକରେ ବେଆଇନ ଭାବେ ପାର୍କିଂ ହୋଇଥିଲା । ଏହାକୁ ଲୋକ ଦେଖି ସିଧାସଳଖ ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ଡିସିପିଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ଜେନା ୫୦୦ ଟଙ୍କା ଜରିମାନା ଦେଇଥିଲେ ।

ସେପଟେ ବିଧାୟକ ଅନନ୍ତ ନାରାୟଣ ମଧ୍ୟ ନିଜ ଦୋଷକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଡ୍ରାଇଭର ଭୁଲ ସ୍ଥାନରେ ପାର୍କିଂ କରିଥିଲା । ସେଥିପାଇଁ ଜରିମାନା ଦେଲି । ଆଇନ ସମସ୍ତଙ୍କ ପାଇଁ ସମାନ, ଆମେ ମାନିବାନି କାହିଁକି ବୋଲି ସେ କହିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ । ଯିଏ କେହି ବି ହେଲେ ଜରିମାନା ଦେବାକୁ ବାଧ୍ୟ ବୋଲି ଡିସିପି କହିଛନ୍ତି ।