ଆଜି ବିଜେଡ଼ି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ଆସନ୍ତା ମେ ୨୯ (ବୁଧବାର)ଠାରୁ ଅପରାଜୟ ନବୀନ ପଟ୍ଟନାୟକ ନିଜର ପଞ୍ଚମ ଇନିଂସ୍‌ ଆରମ୍ଭ କରିବାକୁ ଯାଉଛନ୍ତି । ବିଧାନସଭାରେ ୧୧୨ ଆସନ ଅକ୍ତିକାର କରିଥିବା ବିଜେଡ଼ି ପୁଣି ଥରେ ସରକାର ଗଢ଼ିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିଲାଗି ଆଜି ବିଧାୟକ ଦଳ ବୈଠକ ବସିବ । ବୈଠକରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେତାଭାବେ ଚୟନ କରାଯିବ ।

ଆଜିର ବିଧାୟକ ଦଳ ବୈଠକରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଆଗତ କରାଯିବ । ଏହା ପରେ ଏହି ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ପାରି କରାଯିବ । ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହିତ ସରକାର ଗଢ଼ିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ । ରାଜ୍ୟପାଳଙ୍କ ଅନୁମତି ପରେ ଆସନ୍ତା ମେ ୨୯ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଉଛି । ପ୍ରଥମ ଥର ପାଇଁ ରାଜଭବନ ବାହାରେ ଶପଥ ସମାରୋହ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରୀ ମଣ୍ଡଳଙ୍କ ସହ ଶପଥ ନେବେ । ତେବେ ଏଠାରେ ଆୟୋଜନକୁ ନେଇ ଚର୍ଚ୍ଚା ବଢ଼ିଯାଇଛି । ସମାରୋହରେ ବହୁ ହେଭିୱେଟ୍‌ ନେତାମାନେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

ଏଥର ମନ୍ତ୍ରୀ ମଣ୍ଡଳରେ କିଏ ରହିବ ସେ ନେଇ ସସ୍‌ପେନ୍ସ ଜାରି ରହିଛି । ଏଥର ବିଜେଡ଼ି ୧୨ ଜଣ ବିଧାୟିକା ଥିବାବେଳେ ବହୁ ନୂଆ ଓ ପୁରୁଣା ମୁହଁ ମଧ୍ୟ ଅଛନ୍ତି । ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କଥା କହୁଥିବା ନବୀନ ମନ୍ତ୍ରୀ ମଣ୍ଡଳରେ ମହିଳାଙ୍କୁ ସ୍ଥାନ ଦେଇ ପାରନ୍ତି । ସେହିପରି କିଛି ନୂଆ ଓ କିଛି ପୁରୁଣା ବିଧାୟକମାନଙ୍କୁ ନେଇ ନବୀନ ଏକ ସୁଦୃଢ଼ ମନ୍ତ୍ରୀ ମଣ୍ଡଳ ଗଢ଼ିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।