ବିଜେଡି ରାଜ୍ୟ ପରିଷଦ ବୈଠକ : ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ପାଇଁ ପ୍ରସ୍ତାବ

ବିଜେଡି ରାଜ୍ୟ ପରିଷଦ ବୈଠକରେ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର:  ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସିଟ୍ ସଂରକ୍ଷଣ ହେବ । ଏନେଇ ବିଜେଡି ରାଜ୍ୟ ପରିଷଦ ବୈଠକରେ ପ୍ରସ୍ତାବ ପାରିତ ହୋଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବୈଠକରେ ପାରିତ ପ୍ରସ୍ତାବକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ ଲାଗି ବିଭାଗୀୟ ମନ୍ତ୍ରୀଙ୍କୁ ପଠାଯିବ । ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନଙ୍କ ଏହି ଉଦବୋଧନ ସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିଭାବକଙ୍କ ମନରେ ଆଗ୍ରହ ବଢାଇବ ।

ଲଗାତାର ଭାବରେ ସରକାରୀ ସ୍କୁଲରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମୁହଁ ଫେରାଇ ନେଉଥିବା ବେଳେ ଏଭଳି ପ୍ରସ୍ତାବ ଏବେ ପୁଣିଥରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର ଆଣିଛି । ବିଜେଡି ରାଜ୍ୟ ପରିଷଦରେ ଆସିଥିବା ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।
ସେହିଭଳି ପଛୁଆବର୍ଗ ସର୍ଭେ ସମ୍ପର୍କରେ ଯେଉଁ ପ୍ରସ୍ତାବ ଆସିଛି ତାହା ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏକ ମାଇଲଖୁଣ୍ଟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାବାଦ୍ ମହିଳା ସଶକ୍ତିକରଣ ସମ୍ପର୍କରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ବୈଠକରେ ଯାହା ପ୍ରସ୍ତାବ ପାରିତ ହେବ ତାହାକୁ ସରକାରୀସ୍ତରରେ କାର୍ଯ୍ୟକାରୀ କରିବାକୁ ସେଗୁଡିକୁ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ନବୀନ ।

ଏଥିସହ ବିଜେଡି ରାଜ୍ୟ ପରିଷଦ ବୈଠକରେ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ନୀତି ବିକାଶର ବଡ ଶତ୍ରୁ । ଦୁର୍ନୀତି ଲଢେଇରେ ଆମ ସରକାର ବିଶ୍ୱାସ କରେ । ଆରମ୍ଭରୁ ଆମ ସରକାର ଦୁର୍ନୀତି ବିରୋଧରେ ଲଢେଇ କରିଆସିଛି । ଦୁର୍ନୀତିର ଚେର ଉପାଡି ଫିଙ୍ଗି ଦେବାକୁ କଡା ଆଭିମୁଖ୍ୟ ନିଆଯାଉଛି । ଆଗକୁ ଏହି ଲଢେଇ ଜୋରଦାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।