ଶସ୍ତା ରାଜନୀତି କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି । ନିଜର ସ୍ଥିତି ଜାହିର ପାଇଁ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ଓଡିଶାବାସୀଙ୍କୁ ମିଛ କହୁଛି ବୋଲି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି । ଆଜି ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ମିଛ କହିବାର ଗୋଟିଏ ସୀମା ଅଛି, ହେଲେ ବିଜେପି ତାହାକୁ ଟପିଗଲାଣି । ଯେତେ ମିଛ କହିଲେ ସତ କେବେ ମିଛ ହୋଇପାରିବ ନାହିଁ । ଡକ୍ଟର ପାତ୍ର କହିଛନ୍ତି ଯେ, ଯାଜପୁର ଘଟଣାରେ ବିଜେପି ହାତରେ କୌଣସି ପ୍ରମାଣ ନାହିଁ । କେବଳ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ଭୂଆଁ ବୁଲାଉଛି । ଯଦି କୌଣସି ପ୍ରମାଣ ଦଳ ପାଖରେ ରହିଛି ତାହାକୁ ତୁରନ୍ତ ପୁଲିସ୍‍ କିମ୍ବା ଅଦାଲତକୁ ଦେବା ଆବଶ୍ୟକ । ହେଲେ ବିଜେପି ଏଭଳି କିଛି କରୁନଥିବାରୁ ଏହି ଦଳ ହାତରେ କୌଣସି ପ୍ରମାଣ ନାହିଁ ଓ କେବଳ ସାମ୍ବାଦିକ ସମ୍ମିଳନୀ କରି ନିଜର ସ୍ଥିତି ଜାହିର କରୁଥିବା ସେ କହିଛନ୍ତି । ଏହି ଘଟଣାରେ ପୁଲିସ୍‍ ଜଣକୁ ଗିରଫ କରିଥିବାବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରହିଛି । ହେଲେ ବିଜେପି ମନଗଢା କାହାଣୀ ସୃଷ୍ଟି କରି କେବଳ ନିଜର ହତାଶା ଭାବ ଦର୍ଶାଉନାହିଁ ବରଂ ପୁଲିସ୍‍ ତଦନ୍ତକୁ ବି ବାଟବଣା କରିବାରେ ଲାଗିଛି । ନିକଟରେ ଓଡିଶାବାସୀ ବିଜେପିକୁ ଉପନିର୍ବାଚନରେ ପ୍ରତ୍ୟାଖାନ କରିଥିବାବେଳେ ଦଳ ଯଦି ଏଭଳି ମିଛ ଖବର
ପ୍ରଚାରରୁ ବିରତ ନ ରୁହେ, ତେବେ ରାଜ୍ୟବାସୀ ଆଗାମୀ ଦିନରେ ମଧ୍ୟ ଦଳକୁ ଅନୁରୂପ ଭାବେ ଶିକ୍ଷା ଦେବେ
ବୋଲି ଡକ୍ଟର ପାତ୍ର କହିଛନ୍ତି ।