ବିଜେଡିରେ ଯୋଗଦେଲେ ଧାମନଗର ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସର ନିର୍ବାଚିତ ପ୍ରତିନିଧି

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ନେତୃତ୍ୱରେ ଆଜି ବାଲେଶ୍ୱର କଲେଜ୍‍ ଅଫ୍‍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଅଧ୍ୟକ୍ଷ ମନ୍ମଥ କୁମାର ବିଶ୍ୱାଳ, ଜୟନ୍ତ ବିଶ୍ୱାଳ, ପ୍ରଶାନ୍ତ ବିଶ୍ୱାଳ, ରାମଚନ୍ଦ୍ର ଜେନା, ସ୍ୱପ୍ନରାଣୀ ପଣ୍ଡା, ରମାକାନ୍ତ ସାହୁ, ରବି ପାଣିଗ୍ରାହୀ, ନଟବର ବାରିକ ପ୍ରମୁଖ ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଯୋଗଦାନ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏଥିସହ ଧାମନଗର ବ୍ଲକ, ଏନ୍‍ଏସି ଓ ତିହିଡ଼ି ବ୍ଲକର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ହଜାରେରୁ ଊଦ୍ଧ୍ୱର୍ ବିଜେପି ଓ କଂଗ୍ରେସ କର୍ମୀ ନିଜ ନିଜର ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଛନ୍ତି ।

ଦଳର ରାଜ୍ୟ ସଂପାଦକ ବିଜୟ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଯୋଗଦାନ ସମାରୋହରେ ଦଳର ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଯୋଗଦେଇ ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ସମସ୍ତ ନେତା ଓ କର୍ମୀଙ୍କୁ ସ୍ୱାଗତ କରିଥିଲେ । ଆଜି ବିଜେପି ଓ କଂଗ୍ରେସର ପଞ୍ଚାୟତ ପ୍ରତିନିଧି ଓ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଧାମନଗର ନିର୍ବାଚନ ମଣ୍ଡଳୀ ସହ ଭଦ୍ରକ ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ।

ବିଧାୟକ ଶ୍ରୀ ମଣ୍ଡଳ କହିଥିଲେ ଯେ ଧାମନଗର ନିର୍ବାଚନ ମଣ୍ଡଳୀ ଆଜି ସବୁ କ୍ଷେତ୍ରରେ ବିକଶିତ ହୋଇଛି । ଯଥା, ବନ୍ୟା ନିୟନ୍ତ୍ରଣ, ପର୍ଯ୍ୟଟନ ସ୍ଥଳୀ, ଜଳସେଚନ, ନୂଆ ଏନ୍‍ଏସି, ମଡେଲ୍‍ ସ୍କୁଲ, ଜରା ନିବାସ, ଆହାର କେନ୍ଦ୍ର, କୋଠାର ବାଇପାସ୍‍ ରାସ୍ତା, ଯାଜପୁର ଜିଲ୍ଲାକୁ ସଂଯୋଗ କରିବା ପାଇଁ ବୈତରଣୀ ନଦୀ ଉପରେ ୩ଟି ବିଜୁସେତୁ ନିର୍ମାଣ, ପର୍ଯ୍ୟଟନ ବିଭାଗ ତରଫରୁ ୫ଟି ସ୍ଥାନରେ ୩୦ଲକ୍ଷ ଟଙ୍କା ବ୍ୟୟରେ ଯାତ୍ରୀ ସୁବିଧା କେନ୍ଦ୍ର, ୧୩୦ କୋଟି ବ୍ୟୟରେ ୧୦ଟି ଲୁଣା ପଞ୍ଚାୟତରେ ପାନୀୟ ଜଳ ବ୍ୟବସ୍ଥା, ୩୭୪ କୋଟି ଟଙ୍କା ବ୍ୟୟରେ କୋଚିଳା ବ୍ୟାରେଜ୍‍ ନିର୍ମାଣର ଅର୍ଥ ବ୍ୟବସ୍ଥା ଓ ବହୁବିଧ ବିକାଶମୂଳକ କାର୍ଯ୍ୟ ହୋଇଥିବାରୁ ଆଜି ବିଜେପି ଓ କଂଗ୍ରେସରୁ ବହୁ ତୁଙ୍ଗନେତା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି । ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି । ଆଜିର ଯୋଗଦାନ ଧାମନଗରରେ ବିଜୁ ଜନତା ଦଳ ଆହୁରି ମଜଭୁତ ହେବା ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।

ଏହି ଅବସରରେ ମନ୍ମଥ କୁମାର ବିଶ୍ୱାଳ କହିଥିଲେ ଯେ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ, ଜନନାୟକ, ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର, ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ଚତୁର୍ଥଥର ପାଇଁ ବିଜେଡି ଶାସନ କ୍ଷମତାରେ ରହିବାକୁ ସକ୍ଷମ ହୋଇଛି । ବିଜେଡିର ନିର୍ମଳ ଶାସନ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ନିମନ୍ତେ ସମୟ ଉପଯୋଗୀ ବିଭିନ୍ନ ଯୋଜନାର ପ୍ରଣୟନ ଓ କାର୍ଯ୍ୟକାରିତା ଫଳରେ ଜନସାଧାରଣଙ୍କ ହୃଦୟରେ ଏହା ସ୍ଥାନ ପାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡିରେ ସାମିଲ ହୋଇଛି ବୋଲି ଶ୍ରୀ ବିଶ୍ୱାଳ କହିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲା ସଭାପତି ତଥା ସାଂସଦ ଅର୍ଜୁନ ଚରଣ ସେଠୀ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ସ୍ୱାଇଁ, ଧାମନଗର ବ୍ଲକ ସଭାପତି ରଘୁନାଥ ଲେଙ୍କା, ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନୋଦ ନାୟକ, ନାରାୟଣ ଚନ୍ଦ୍ର ସାହୁ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ତଥା ତିହିଡି ବ୍ଲକ ଅଧ୍ୟକ୍ଷା ବିଦ୍ୟୁତ୍‍ଲତା ନାୟକ, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ, କମଳାକାନ୍ତ ଦାସ, ପୂର୍ବତନ ଅଧ୍ୟକ୍ଷ କମଳାକାନ୍ତ ଭୋଇ, ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଗା ଦାସ, ଛାତ୍ର ବିଜେଡି ସଭାପତି ତଥାଗତ ସାମଲ, ଧାମନଗର ଏନଏସି ସଂଖ୍ୟାଲଘୁ ସେଲ୍‍ର ସାଧାରଣ ସଂପାଦକ ସେଖ୍‍ ଜାଫର ଅଲ୍ଲୀ, ବରିଷ୍ଠ ହରେକୃଷ୍ଣ ପାଢ଼ୀ, ରାଜ୍ୟ ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ଟାଉନ୍‍ ବିଜେଡି ସଭାପତି ଶରତ ମହାନ୍ତି, ଧାମନଗର ନିର୍ବାଚନ ମଣ୍ଡଳୀ ଯୁବ ସଭାତି ଭାନୁ ପ୍ରକାଶ ପଲେଇ, ବ୍ଲକ ସଭାପତି ସୁଶାନ୍ତ ନାୟକ, ଛାତ୍ର ସଭାପତି ସଂଜୀବ ମଲ୍ଲିକ, ଯୁବ ନେତା ଦୟାନିଧି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।