ବିଜେଡି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ଆରମ୍ଭ କଲେ ନବୀନ

ଭୁବନେଶ୍ବର  : ଆରମ୍ଭ ହେଲା ଇସ୍ତାହାର ରାଜନୀତି ପର୍ବ । ଲୋକଙ୍କ ମନର କଥାକୁ ଇସ୍ତାହାରରେ ଯୋଡିବାକୁ ସବୁଦଳ ପ୍ରତିଯୋଗିତାରେ ମାତିଲେଣି । ବିଜେପି ଓ କଂଗ୍ରେସ ପରେ ବିଜେଡି   ଏଭଳି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି। ଲୋକଙ୍କ ପାଖକୁ ଏକ ଫର୍ମ ନେଇ ଦଳର କର୍ମି ଯିବେ ମତାମତ ସଂଗ୍ରହ ପାଇଁ ଯାହା ମତାମତ ମିଳିବ ତାକୁ ଇସ୍ତାହାରରେ ଯୋଡିବ ଦଳ । ଘରେଘରେ ଶଙ୍ଖ ନାରା ଦେଇ ନବୀନ ଆଜି ଏଭଳି କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି । ବିରୋଧି କହିଛନ୍ତି କପି ପେଷ୍ଟ ।

ଘରେ ଘରେ ଶଙ୍ଖ । ମତାମତ ଦିଅନ୍ତି ଆପଣ—ପାଳନ କରନ୍ତି ନବୀନ । ବିଜୁ ଜୟନ୍ତିରେ ଏଭଳି ନାରା ନେଇ ଆଜି ମୈଦାନକୁ ଓହ୍ଲାଇଛି ବିଜେଡି । ଭୁବନେଶ୍ବର ଉପକଣ୍ଠ ଜଟଣୀ ନିର୍ବାଚନ ମଣ୍ଡଳୀର କଣ୍ଟିଲୋ ଗାଁରୁ ନବୀନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ବିଜେଡି ଯେଭଳି ସବୁଘରେ ପହଁଚିବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ପ୍ରଥମତଃ ଯେଉଁ ଫର୍ମ ନେଇ ବିଜେଡି କର୍ମି ଘରକୁ ଘର ବୁଲିବେ ସେଥିରେ ମୁଖ୍ୟତଃ ୩ଟି ପ୍ରଶ୍ନ ରହିଛି । ୧- ରାଜ୍ୟ ସରକାରଙ୍କ ଯେଇଁ ସବୁ ଯୋଜନା ଚାଲୁଛି ସେଥିରୁ କେଉଁ  ଯୋଜନା ରହିବା ଉଚିତ ୨- ଲୋକମାନେ କେଉଁ ଯୋଜନା ଲାଗୁ କରିବାକୁ ଚାହୁଁଚନ୍ତି । ୩- ରାଜ୍ୟ ସରକାର କେନ୍ଦ୍ର ନିକଟରେ କେଉଁ ଯୋଜନା ଉପସ୍ଥାପନ କରିବା ଉଚିତ। ଏସବୁ ପ୍ରଶ୍ନର ଉତ୍ତର ମିଳିବା ପରେ ଏହାକୁ  ଇସ୍ତାହାରରେ ସାମିଲ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି ।

ଏଭଳି କାର୍ଯ୍ୟକ୍ରମ କରି ବିଜେଡି ଗୋଟିଏ ଗୁଳିରେ ୨ଟି ଶିକାର କରିବାକୁ ଚାହୁଁଛି । ପ୍ରଥମେ ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ସାମିଲ କରି ମହିଳା ଭୋଟକୁ ହାତେଇବା ଏବଂ ଲୋକଙ୍କ କଥାକୁ ଇସ୍ତାହାରରେ ପ୍ରକାଶ କରି ସେମାନଙ୍କୁ ଦଳ ଗୁରୁତ୍ବ ଦେଉଛି ବୋଲି ବାର୍ତ୍ତା ଦେବା। କିନ୍ତୁ ବିଜେଡିର ଏ କାର୍ଯ୍ୟକ୍ରମ ପୂର୍ବରୁ ବିଜେପି ଓ କଂଗ୍ରେସ ଲୋକଙ୍କ ପାଖକୁ ଯାଇ ଇସ୍ତାହାରରରେ କଣ ପ୍ରସଙ୍ଗ ରହିବ ସେନେଇ ମତାମତ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛନ୍ତି । ସେଇଥିପାଇଁ ବିଜେଡି କାର୍ଯ୍ୟକ୍ରମକୁ କପି ପେଷ୍ଟ କହିଛି ବିଜେପି ।