ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
ଲୋକ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳରୁ ବହିଷ୍କୃତ
ଭୁବନେଶ୍ବର: ଲୋକ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗୋପାଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ ହୋଇଥିବାର ଖବର ମିଳିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ ସହ ସଂପର୍କକୁ ନେଇ ବିବାଦୀୟ ହୋଇପଡ଼ିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।
ସୂଚନାଯୋଗ୍ୟ, କଳାଧନର କୁବେର ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶର ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସିବାରେ ଲାଗିଛି। ନିଜକୁ ଟାଟା ମୋଟର୍ସର ଏମ୍ଡି ବୋଲି ପରିଚୟ ଦେଇ ବେକାର ଯୁବକ ଯୁବତୀଙ୍କୁ କେମିତି କୋଟି କୋଟି ଟଙ୍କାର ଚୂନ ଲଗାଇଥିଲେ ତାହାର କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି। ଠକେଇର ଶିକାର ହୋଇଥିବା ଯୁବକଯୁବତୀ ଗୋପାଳପୁର ନିର୍ବାଚନମଣ୍ଡଳୀର ବୋଲି ଜଣାପଡ଼ିଛି। ପାଠକଙ୍କ ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହେଉଥିବା କାରଣରୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଭୂମିକା ନେଇ ସନ୍ଦେହ ବଢ଼ିଥିଲା । ଏବେ ଏସ୍ଆଇଟି ସେହି ଆଧାରରେ ଆଗକୁ ତଦନ୍ତ କରିବ ବୋଲି ସୂଚନା ମିଳିଛି।