ବିଜେଡିରେ ଟିକେଟ ଲଡ଼ୁ

ବିଜେଡିରେ ଏବେ ସବୁ ଛାମୁଆ ସଂଗଠନର ପଦାଧିକାରୀ କୁଆଡ଼େ ସାଧାରଣ ନିର୍ବାଚନ ପାଇଁ ଟିକେଟ୍ ଲବି ଜୋରଦାର କରୁଛନ୍ତି । ବିଶେଷକରି ଦଳର ଛାତ୍ର ଓ ଯୁବ ସଂଗଠନରେ ଥିବା ଅଧିକାଂଶ କୁଆଡ଼େ ଏବେଠୁ ନିଜ ନିଜ ନିର୍ବାଚନମଣ୍ଡଳୀ ମୁହାଁ ହେଲେଣି । ସେମାନଙ୍କର ସମ୍ପର୍କ ତୃତୀୟ ମହଲା ସହ ବେଶ୍ ଘନିଷ୍ଠ ବୋଲି ସନ୍ଦେଶ ଦେଇ ଏହି ଯୁବ ଓ ଛାତ୍ର ନେତା-ନେତ୍ରୀମାନେ କୁଆଡ଼େ ଏବେଠୁ ସେମାନେ ଏମ୍ଏଲଏ ଟିକେଟ୍ ଦୌଡ଼ରେ ରହିଲେଣି । ରାଜନୀତିକ ପରିପକ୍ୱତା ନଥିବା ଏହି ଯୁବ ଓ ଛାତ୍ର ନେତାମାନଙ୍କର ଏଭଳି ଏମ୍ଏଲଏ ଆଶାୟୀ ହେବା କୁଆଡ଼େ ଦଳର ବରିଷ୍ଠ ତଥା ସିଟିଂ ଏମ୍ଏଲଏଙ୍କୁ ଚିନ୍ତାରେ ପକାଇଲାଣି । ନିଜ ସମ୍ମାନକୁ ରକ୍ଷା କରି ଏହି ଯୁବ ଓ ଛାତ୍ରନେତାମାନଙ୍କ ଟିକେଟ୍ ଲବିରୁ କୁଆଡ଼େ ବରିଷ୍ଠ ନେତାମାନେ ନିଜକୁ ଦୂରେଇ ରଖିଛନ୍ତି । ତେବେ ଶୁଣିବାକୁ ମିଳୁଛି, ଦଳର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ କୁଆଡ଼େ ଜାଣିଶୁଣି ଏଭଳି କିଛି ନେତାଙ୍କୁ ବିବାଦୀୟ କରାଇବାକୁ ଚାହୁଁଛି । ଆଉ ସେହି ନେତାମାନଙ୍କୁ ଆଉ ଏମ୍ଏଲଏ ଟିକେଟ୍ ମିଳିବ ନାହିଁ ବୋଲି ସନ୍ଦେଶ ଦେଇ ସମ୍ପୃକ୍ତ ଯୁବ ଓ ଛାତ୍ର ନେତା-ନେତ୍ରୀଙ୍କୁ ଆଗକୁ ଆଣି ମୋହରା କରାଯାଉଛି । ଦଳର କିଛି ପ୍ରଭାବଶାଳୀ ନେତାଙ୍କ ଇସାରାରେ ଯୁବ ଓ ଛାତ୍ର ସଂଗଠନର ଅନେକ ନେତା ଏବେ ଏମ୍ଏଲ୍ଏ ଟିକେଟ୍ ଆଶାୟୀ ହୋଇପଡ଼ିଛନ୍ତି । ନିର୍ବାଚନ ଟିକେଟ୍ ବଂଟନବେଳେ ଏହି ପ୍ରଭାବଶାଳୀ ନେତାମାନେ କୁଆଡ଼େ ଗୋଳିଆପାଣିରୁ ମାଛ ଧରିବା ଚକ୍କରରେ ରହିଛନ୍ତି । ଯେଉଁଥିପାଇଁ ଯୁବ ଓ ଛାତ୍ର ନେତା ମାନଙ୍କର ନିଜସ୍ୱ କୌଣସି ସଂଗଠନ ନଥିବା ସତ୍ୱେ ସେମାନଙ୍କୁ ଏମ୍ଏଲଏ ଟିକେଟ୍ ପାଇଁ ଦୃଢ଼ ଦାବିଦାର ଭାବେ ଉପସ୍ଥାପନ କରିବାକୁ ଉଦ୍ୟମ ହେଉଛି । ଯେଉଁଥିପାଇଁ ଅମ୍ରେଶ ପତ୍ରୀ, ଏଲିନା ଦାଶ, ଶିଶିର ପରିଜା, ମନ୍ଦାକିନୀ କର, ରାଣାପ୍ରତାପ ପାତ୍ର, ଦେବୀରଞ୍ଜନ ତ୍ରିପାଠୀଙ୍କଠୁ ଆରମ୍ଭ କରି ଜିଲ୍ଲାସ୍ତରର ଛାତ୍ର ଓ ଯୁବନେତାମାନେ କୁଆଡ଼େ ଟିକେଟ୍ ପାଇଁ ଲବି ଜୋରଦାର କରିଛନ୍ତି । ତେବେ ଏହି ଛାତ୍ରନେତାମାନେ ମହତ୍ୱାକାଂକ୍ଷୀ ହୋଇ ପଡ଼ିଥିବା ଯୋଗୁ ତୃଣମୂଳସ୍ତରରେ ଭୁଲ୍ ସନ୍ଦେଶ ଯାଉଥିବାରୁ କୁଆଡ଼େ ସେମାନଙ୍କର ପଛରେ ଥିବା ନେତାମାନଙ୍କୁ ଚିହ୍ନଟ କରିବା ନିମନ୍ତେ ଏବେ କ୍ଷମତା କେନ୍ଦ୍ର କଡ଼ା ତାଗିଦ୍ କରିଥିବା ଚର୍ଚ୍ଚା ହେଉଛି ।