‘ ବିଜେପି ନିର୍ବାଚନ ହାରିବାକୁ ଯାଉଛି ଜାଣି ସାରି ସେମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି : ବିଜେଡି

ପିପିଲି ହିଂସା ଘଟଣା : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

ଭୁବନେଶ୍ବର : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି । ପିପିଲି ହିଂସା ଘଟଣାକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ଦଳର ପ୍ରତିନିଧି । ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।
ବିଜୁ ଜନତା ଦଳର ନିର୍ବାଚନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି(ବିଜେପି )ର କର୍ମୀମାନେ ଆମ କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଆମର ଦୁଇ ଜଣ କର୍ମୀ ଗୁରୁତର ଅବସ୍ଥାରେ ଡେଲାଙ୍ଗ ଏବଂ ଆନ୍ୟ କର୍ମୀ ଅତି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିଜେପି କର୍ମୀ ଯେଉଁ ହିଂସା ଭିଆଇଛନ୍ତି ତାହାର ପ୍ରମାଣ ଆମେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର । କେବଳ ଆମ କର୍ମୀଙ୍କୁ ଆକମ୍ରଣ କରିବାରେ ବିଜେପି କର୍ମୀ ସୀମିତ ନ ଥିଲେ, ସେହି ପରିବାର ମହିଳାମାନେ ଯେତେବେଳେ ତାଙ୍କ ଅବସ୍ଥା ଜାଣିବାକୁ ହସ୍ପିଟାଲରେ ପହଞ୍ଚିଲେ ସେଠାରେ ମଧ୍ୟ ତାଙ୍କୁ ଆକ୍ରମଣ କରାଗଲା । ଏଭଳି କି ସେମାନଙ୍କ ଲୁଗାପଟାକୁ ମଧ୍ୟ ଟାଣଟଣି କରିଛନ୍ତି । ଏଥିସହିତ ମେଡିକାଲକୁ ଭେଟିବାକୁ ଯାଇଥିବା ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ବିଜେପି କର୍ମୀ ଏବଂ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ବିଜେପି ବିହାର ଏବଂ ୟୁପି ଭଳି ହିଂସାକୁ ପ୍ରଶୟ ଦେବାକୁ ଚାହୁଁଛନ୍ତି। ଭାରତୀୟ ଜନତା ପାର୍ଟି ନିର୍ବାଚନ ହାରିବାକୁ ଯାଉଛି । ଏହା ସେମାନେ ସ୍ପଷ୍ଟ ଭାବେ ଜାଣିସାରିଛନ୍ତି । ଏଣୁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଭାରତୀୟ ଜନତା ପାର୍ଟି ହିଂସାର ରାସ୍ତା ଛାଡ଼ନ୍ତୁ, ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ଶାନ୍ତିର ସହ ନିର୍ବାଚନ ଲଢ଼ନ୍ତୁ ବୋଲି କହିଛନ୍ତି ଡ. ସସ୍ମିତ ପାତ୍ର ।

bjd delegation meets ceo on pipili issue