ମହିଳା ସ୍ଥାନ ସଂରକ୍ଷଣ ବିଲ ପାସ ପାଇଁ ଅଣ୍ଟା ଭିଡିଲେ ନବୀନ,୨୨ ରାଜନୈତିକ ଦଳର ସମର୍ଥନ ଲୋଡିବ ବିଜେଡି

ଭୁବନେଶ୍ୱର : ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗକୁ ଜାତୀୟ ଦରବାରକୁ ନେବ ବିଜେଡି।  ୭ ଜାତୀୟ ଓ ୧୫ ଆଞ୍ଚଳିକ ଦଳକୁ ଭେଟିବେ ବିଜେଡି ପ୍ରତିନିଧି। ମହିଳାଙ୍କ ପାଇଁ ପାର୍ଲାମେଣ୍ଟ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ  ବ୍ୟବସ୍ଥା ଦେଶସାରା ଲାଗୁ କରିବା ଲାଗି ଆରମ୍ଭ କରିବ ମିଶନ। ସବୁ ଦଳକୁ ବୁଝେଇବ। ସେହିପରି  ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇ ନେବ ନେତୃତ୍ବ। ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ଲାଗି ବିଧାନସଭାରେ ପ୍ରସ୍ତାବ ପାରିତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ୧୯ ନିର୍ବାଚନରେ ଏହାକୁ ଦେଶବ୍ୟାପୀ ଲାଗୁ କରିବା ଲକ୍ଷ୍ୟରେ ଏବେ ଜାତୀୟ ମୈଦାନକୁ ଲମ୍ଫ ପ୍ରଦାନ କରିବାକୁ ଏଲାନ କରିଛି ବିଜେଡି। ଆଜି ବିଜେଜଡି କାର୍ଯ୍ୟାଳୟରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ହୋଇଥିବା ବୈଠକରେ ଏନେଇ ହୋଇଥିବା ବୈଠକ।କେଉଁନେତା କେଉଁ ଦଳକୁ ଭେଟିବେ ଏହାର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିଛି ଦଳ ।

ଆଜି ଅପରାହ୍ଣରେ ନବୀନ ନିବାସ ଠାରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ପାଇଁ ଦଳର ପ୍ରତିନିଧିମାନେ ନିକଟରେ ୭ଟି ଜାତୀୟ ଦଳ ଓ ୧୫ଟି ଆଞ୍ଚଳିକ ଦଳଙ୍କୁ ଭେଟି ସମର୍ଥନ ଲୋଡ଼ିବେ ।
ପ୍ରକାଶଥାଉକି, ଗତକାଲି ସଂସଦ ଓ ପ୍ରତି ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତ୍ର ଲେଖିଛନ୍ତି । ଏଥିନେଇ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ସଂକଳ୍ପ ମଧ୍ୟ ପାରିତ ହୋଇଯାଇଛି ।

ବିଜୁ ଜନତା ଦଳର ସାଂସଦ, ବିଧାୟକ ଓ ଅନ୍ୟ ବରିଷ୍ଠ ନେତାମାନେ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡିକୁ ଭେଟିବା ସହିତ ମହିଳା ସଶକ୍ତିକରଣ ପାଇଁ ସଂସଦ ଓ ବିଧାନସଭାରେ ସ୍ଥାନ ସଂରକ୍ଷଣର ଆବଶ୍ୟକତା ଯୋଗସୂତ୍ର ସ୍ଥାପନ ସହ ଭାବ ବିନିମୟ କରିବା ପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ବିଜେଡିର ଲୋକସଭା ଓ ରାଜ୍ୟସଭାର ଦୁଇ ମୁଖ୍ୟ ସଚେତକଙ୍କୁ ଏଥିନେଇ ସଂସଦର ଅନ୍ୟ ରାଜନୈତିକ ଦଳଗୁଡିକ ସହିତ ସମନ୍ୱୟ ରକ୍ଷା କରିବାକୁ ମଧ୍ୟ କୁହାଯାଇଛି ।
ପ୍ରକାଶଥାଉକି, ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ । ୯୦ ଦଶକରେ ପ୍ରବାଦ ପୁରୁଷ ତଥା ପ୍ରବୀଣ ରାଜନେତା ବିଜୁ ପଟ୍ଟନାୟକ ଦେଶରେ ପ୍ରଥମଥର ପାଇଁ ମହିଳାମାନଙ୍କ ବିକାଶ ଲାଗି ପଞ୍ଚାୟତ ଓ ପୌରପାଳିକାଗୁଡିକରେ ଏକ-ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିଥିଲେ । ତଦ୍ଦ୍ୱାରା ମହିଳାମାନେ ରାଜନୈତିକ ନିଷ୍ପତ୍ତି ନେଇପାରିଲେ । ଏହାବ୍ୟତୀତ ଉଭୟ ପୁରୁଷ ଓ ମହିଳାଙ୍କ ମଜୁରୀ ସମାନ କରିବା ସହିତ ଲିଙ୍ଗ ସମାନତା ଓ ଶ୍ରମର ସମ୍ମାନକୁ ସେ ବଜାୟ ରଖିଥିଲେ ।

ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ପଞ୍ଚାୟତ ଓ ପୌର ପାଳିକା କ୍ଷେତ୍ରରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହି ନିଷ୍ପତ୍ତି ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବା ସହିତ ବିକାଶର ମୁଖ୍ୟ ଧାରାରେ ସାମିଲ କରିବାକୁ ପ୍ରୋତ୍ସାହିତ କରିଥିଲା । ନୂଆ ଶତାବ୍ଦୀରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସରକାର ଗଠନ ହେବା ପରେ ମହିଳା ସଶକ୍ତିକରଣ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି । ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ସଂସଦ ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ମହିଳାମାନଙ୍କ ପାଇଁ ସହମତି ଭିତ୍ତିରେ ଆସିଲେ ଏହା ଦେଶର ମହିଳାମାନଙ୍କ ପାଇଁ ଏକ ଅନନ୍ୟ ପଦକ୍ଷେପ ହେବ ବୋଲି ବିଜୁ ଜନତା ଦଳର ଉପ-ସଭାପତି ଶ୍ରୀ ବେଦ ପ୍ରକାଶ ଅଗ୍ରୱାଲ୍‍ ଓ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ତେବେ ବିଜେଡି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରି ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିବାକୁ ଚାହୁଁଛି କି।  ଦଳର ଏନେଇ ଆନ୍ତରିକତା ଅଛି। କାରଣ ବିରୋଧୀ ବାରମ୍ବାର ପ୍ରଶ୍ନ କରୁଛନ୍ତି ବିଜେଡି ୧୯ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଇ ଉଦାହରଣ ସୃଷ୍ଟି କରନ୍ତୁ। ଆଉ ଏ ପ୍ରସଙ୍ଗକୁ ଏଡ଼େଇ ଚାଲିଛି ବିଜେଡି।  ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ଏହାକୁ ନେଇ ଜୋର ଧରିଛି ରାଜନୀତି ।ସେହିପରି ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ମତିଗତି ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଯଦି ମହିଳା ସଂରକ୍ଷଣ ପାଇଁ ବିଜେଡିର ଆନ୍ତରିକତା ଥିଲା, ସଂସଦରେ ବିଜେଡି ସଦସ୍ୟ କାହିଁକି ବେସରକାରୀ ବିଲ୍ ଆଣି ଏହାକୁ ଆଲୋଚନା କଲେ ନାହିଁ । କଂଗ୍ରେସ ବି ସମାନ ଢଙ୍ଗରେ ବିଜେଡି ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ।

ରାଜ୍ୟ ସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଯାଇଥିଲେ ବି ଲୋକସଭାରେ ଏହି ବିଲ୍ ଅଧାରେ ଲଟକିଛି । ଲୋକସଭାରେ ପାରିତ ହେଲେ ଏହା ବିଲ୍ ରେ ପରିଣତ ହେବ ଏବଂ ସାରା ଦେଶରେ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ରହିବ । ହେଲେ ଆରଜେଡି  ଓ ସମାଜବାଦି ପାର୍ଟି ଆଦି କେତେକ ଦଳ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍ କୁ ବିରୋଧ କରିବାରୁ ଏହା ଅଧାରେ ଅଟକିଛି । ଏବେ ବିଜେଡି ଏହାକୁ ଜାତୀୟ ସ୍ତରରେ ଉଠାଇବ। ତେବେ ବିଜେଡି ଏସବୁ ଦଳକୁ ବୁଝାଇ ପାରିବକି ତାହା ଉପରେ ରହିବ ନଜର।