ଦୁର୍ବିପାକ ଉପରେ ବିଜେପିର ରାଜନୀତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ : ବିଜେଡି

ଭୁବନେଶ୍ୱର : ବାତ୍ୟା, ବନ୍ୟା ଓ କୋଭିଡ ମହାମାରୀ ଭଳି ଦୈବୀ ଦୁର୍ବିପାକ ଉପରେ ରାଜନୀତି କରାଯିବା ଉଚିତ ନୁହେଁ କି ବିଜୁ ଜନତା ଦଳ ଏଥିରେ ଆଦୌ ବିଶ୍ୱାସ କରେନାହିଁ । ହେଲେ ଦୁର୍ଭାଗ୍ୟର ବିଷୟ ଯେ ଓଡିଶା ବିଜେପିର ବିଧାୟକମାନେ କୋଭିଡ ମହାମାରୀକୁ ନେଇ ଯେଭଳି ନିମ୍ନମାନର ରାଜନୀତି କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଆମେ ଆଶା କରିଥିଲୁ ବିଧାୟକ ଶ୍ରୀ ମୋହନ ମାଝି ତାଙ୍କ ବକ୍ତବ୍ୟରେ ଆଜି ଓଡ଼ିଶାର କୋଭିଡ ଯୋଦ୍ଧାଙ୍କୁ ସେମାନଙ୍କର କଠିନ ପରିଶ୍ରମ, ତ୍ୟାଗ ଓ ବଳିଦାନ ପାଇଁ ସାଧୁବାଦ ଜଣାଇବେ । ହେଲେ ସେ ସେଭଳି କିଛି କଲେ ନାହିଁ ।
ସଫଳ କୋଭିଡ ପରିଚାଳନା ପାଇଁ ଓଡିଶା ସବୁ ମହଲରେ ପ୍ରଶଂସିତ ହେଉଛି ବୋଲି ଶ୍ରୀ ମାଝୀ ଭଲ ଭାବରେ ଜାଣିଛନ୍ତି । ହେଲେ ଏଭଳି ସମୟରେ ରାଜନୀତି କରିବା ପାଇଁ ଜାଣିଶୁଣି ଏହାକୁ ଅଣଦେଖା କରୁଛନ୍ତି । କୋଭିଡ ପରିଚାଳନାରେ ଓଡିଶା ଭାରତ ବର୍ଷର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠତା ପ୍ରଦର୍ଶନ କରୁଥିବାବେଳେ ବିଜେପି କିନ୍ତୁ କୋଭିଡ ମହାମାରୀକୁ ନେଇ ଶସ୍ତା ରାଜନୀତି କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
କରୋନା ଭଳି ବିଶ୍ୱ ମହାମାରୀକୁ ନେଇ ଶସ୍ତା ରାଜନୀତି କରୁଥିବା ବିଜେପିକୁ ଓଡିଶାବାସୀ କେବେ କ୍ଷମା ଦେବେ ନାହିଁ ଏବଂ ଉଚିତ ସମୟରେ ଏହାର ଠିକଣା ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଚେତାଇ ଦେଇଛନ୍ତି ।