ଉମରକୋଟରେ ବିଜେଡ଼ିର ବିକାଶ ସମାବେଶ : କେନ୍ଦ୍ର ଅନୁଦାନ ନଦେଲେ ବି ଜାରି ରହିବ ରାଜ୍ୟ ବିକାଶ- ନବୀନ

ଉମରକୋଟ : ରାଜ୍ୟର ବିକାଶକୁ କେହି ରୋକିପାରିବେନି । କେନ୍ଦ୍ରର ସହାୟତା ବିନା ବି ରାଜ୍ୟ ବିକାଶ ଜାରି କହିବ । ଏମିତି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ନବରଙ୍ଗପୁରର ଉମରକୋଟ ବିକାଶ ସମାବେଶରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନବରଙ୍ଗପୁରର ଉମରେକୋଟରେ ଅନୁଷ୍ଠିତ ବିକାଶ ସମାବେଶରେ ଯୋଗଦେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ନିଜ ଭାଷଣରେ ନବୀନ କହିଛନ୍ତି, ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ନବୀନ । ସେ କହିଛନ୍ତି, କେନ୍ଦ୍ର ସରକାର କେବିକେ ଅନୁଦାନ ବନ୍ଦ କରିଛନ୍ତି । ଆମେ କିନ୍ତୁ ବିକାଶ ଅନୁଦାନ ବନ୍ଦ କରିବୁ ନାହିଁ । ବିଜୁ କେବିକେ ଯୋଜନା ଜାରି ରହିବ । କାଳିଆ ଯୋଜନା ସାରା ଦେଶରେ ଆଦୃତ ହୋଇଛି। ଚାଷୀଙ୍କ ପିଲାଙ୍କ ପାଇଁ କାଳିଆ ବୃତ୍ତି ଯୋଜନା ଆରମ୍ଭ ହୋଇଛି । ଏସସି/ଏସଟିଙ୍କ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ।
ସୂଚନାଯୋଗ୍ୟ ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ଆଜି କୋରାପୁଟ ଜୟପୁରରେ ବିଜେଡ଼ିର ଯୁବ ସମାବେଶରେ ମଧ୍ୟ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟରେ ୧୧ଶହ ୩୬ ଦଶମିକ ୪୧ କୋଟି ଟଙ୍କା ମୁଲ୍ୟର ୩୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି ନବୀନ ।