ଭୁବନେଶ୍ୱର: କୋରୋନାକୁ ନେଇ ବିଧାନସଭା ବନ୍ଦ ରଖିବା ନେଇ ଆଜି ବିଜେପି ପ୍ରଶ୍ନ କରିଛି । ଏହାସହ ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲା । ତେବେ ବିଜେପିର ଏହି ପ୍ରଶ୍ନର ଉତର ଦେଇଛି ବିଜେଡି । ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି ଯେ, ବର୍ତମାନ ରାଜନୀତି ନୁହେଁ, ବରଂ କୋରୋନା ପାଇଁ ଏକାଠି ହେବାର ସମୟ ଆସିଛି । ବିଜେପି ଦ୍ୱାରା ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ନିରାଧାର ବୋଲି ସେ କହିଛନ୍ତି ।
ଏହା ବ୍ୟତୀତ ବିଜେଡି ପକ୍ଷରୁ ଏକ ପ୍ରେସ ଇସ୍ତାହାର ଦିଆଯାଇଛି । ଯେଉଁଥିରେ ନିମ୍ନ ଲିଖିତ ବିଷୟ ଉପରେ ବର୍ଣ୍ଣନା କରାଯାଇଛି:
ୟେସ୍ ବ୍ୟାଙ୍କ୍
– ୟେସ୍ ବ୍ୟାଙ୍କ୍ରେ ଜମା ଥିବା ଶ୍ରୀଜଗନ୍ନାଥ ମନ୍ଦିର ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ।
– ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏ ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।
– ଆମେ ଭାରତୀୟ ରିଜର୍ଭ ବ୍ୟାଙ୍କ୍କୁ ବିଶ୍ୱାସ କରି ଏହି ଘଟଣାରେ ରାଜନୀତି କରିବା ଉଚିତ୍ ନୁହେଁ ।
– ପ୍ରସଙ୍ଗ ଯାହା ବି ହେଉ, ଆମେ ଆଲୋଚନା ପାଇଁ ପ୍ରସ୍ତୁତ ।
– ବିଧାନସଭାରେ ଆସିଥିବା ମୁଲତବି ପ୍ରସ୍ତାବରେ ୟେସ୍ ବ୍ୟାଙ୍କ୍ ଘଟଣା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।
– ତଦନୁଯାୟୀ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣରଙ୍କୁ ଦାବିପତ୍ର ପ୍ରଦାନ ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳର ୧୨ ଜଣ ସଦସ୍ୟଙ୍କୁ ନେଇ ଗୃହ କମିଟି ଗଠନ ହୋଇଛି ।
– ଗୃହ କମିଟି ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।
କରୋନା ମୁକାବିଲା ପ୍ରସ୍ତୁତି
– କରୋନା ଏକ ଆର୍ନ୍ତଜାତିକ ବିପର୍ଯ୍ୟୟ ଭାବେ ଉଭା ହୋଇଛି ।
– ଅଧିକାଂଶ ରାଜ୍ୟ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହିତ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ନେଇ ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।
– ଓଡିଶା ସରକାର ମଧ୍ୟ ଏ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
– ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ଅର୍ଥର ସମସ୍ୟା ହେବନାହିଁ ।
– କେନ୍ଦ୍ର ସରକାର କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଗତକାଲି ରାଜ୍ୟ ସରକାର ମଧ୍ୟ ଏହା ଘୋଷଣା କରିଛନ୍ତି । ତେଣୁ ଓଡିଶା ବିଜେପି ଏହାର ଗୁରୁତ୍ୱକୁ ବୁଝିବା ଆବଶ୍ୟକ ।
– ରାଜ୍ୟ ବିଜେପି ଓଡିଶା ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ଦେଶର ଅନ୍ୟ ବିଜେପି ଶାସିତ ରାଜ୍ୟ ଯଥା ହରିଆନା, ଉତ୍ତରପ୍ରଦେଶ ଆଦି କିଭଳି ଓଡିଶା ଅନୁରୂପ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଅନୁଧ୍ୟାନ କରିବା ଆବଶ୍ୟକ ।
ମାର୍ଚ୍ଚ ୩୦ ତାରିଖ ଦିନ ୧୦.୩୦ ପର୍ଯ୍ୟନ୍ତ ବିଧାନସଭା ମୁଲତବି
– ବିରୋଧିଦଳ ନେତାଙ୍କ ସହିତ ବିଜେପି ଓ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ବିଶ୍ୱାସକୁ ନେବାପରେ ବିଧାନସଭାକୁ ମୁଲତବି ରଖାଯାଇଛି ।
– ତେଣୁ ବିଜେପି ସଦସ୍ୟମାନେ ଏ ନେଇ ଲୋକଙ୍କୁ ବିଭ୍ରାନ୍ତ କରିବା ଉଚିତ୍ ନୁହେଁ ।
– ଗୃହ ମୁଲତବି ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତ ବିଧାୟକମାନଙ୍କ ଲାଗି କରୋନା ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆର୍ନ୍ତଜାତୀୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ
-ବର୍ତ୍ତମାନ କରୋନା ଆର୍ନ୍ତଜାତୀୟ ବିପର୍ଯ୍ୟୟ ହୋଇଥିବାରୁ ରାଜନୀତିରୁ ଉର୍ଦ୍ଧ୍ୱକୁ ଆସି ଆମେ ସମସ୍ତେ ଏହାର ମୁକାବିଲା ଲାଗି ଆଗେଇ ଆସିବା ଉଚିତ୍ ।