ସାବଧାନ କୁକୁଡାରେ ବାର୍ଡ ଫ୍ଲୁ,ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ସାମ୍ପଲରେ ପଜିଟିଭ୍‌, ୪ଟି ଗାଁରେ ମରାଯିବ କୁକୁଡା

ଭୁବନେଶ୍ୱର : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ପ୍ରଥମେ କାଉ ଓ ପରେ କୁକୁଡା ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ। ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିବା କାଉ ଓ କୁକୁଡାଙ୍କ ନମୁନାରେ ବାର୍ଡ ଫ୍ଲୁ ପଜିଟିଭ୍‌ ରିପୋର୍ଟ ଆସିଛି। ଏଥିପାଇଁ ଆଜିଠାରୁ ଯୁଦ୍ଧକାଳୀନ ଭିତ୍ତିରେ କୃଷ୍ଣପ୍ରସାଦ ବ୍ଲକର ୪ଟି ଗାଁ ସମେତ ଏହାର ୧୦ କିଲୋମିଟର ଦୂରତ୍ବ ମଧ୍ୟରେ କୁକୁଡା ମରା ଅଭିଯାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ । ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସ୍ପଷ୍ଟ କରିଛି। ଯୁଦ୍ଧ କାଳୀନ ଭିତ୍ତିରେ କୃଷ୍ଣ ପ୍ରସାଦ ବ୍ଲକର ୪ଟି ଗାଁରେ କୁକୁଡା ମରା ଅଭିଯାନକୁ ବ୍ୟାପକ କରାଯାଇଛି । ଚଳିତ ମାସ ପ୍ରଥମ ସପ୍ତାହରେ କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଗାଁରେ କାଉ ମଡକ ଦେଖାଦେଇଥିଲା । କାଉଙ୍କ ପରେ କୁକୁଡା ମୃତ୍ୟୁକୁ ନେଇ ବାର୍ଡ ଫ୍ଲୁ ବ୍ୟାପିବା ସନ୍ଦେହ ହୋଇଥିଲା । ଉଭୟ କାଉ, କୁକୁଡାଙ୍କ ଠାରୁ ୨୦ଟି ନମୁନା ସଂଗ୍ରହ କରାଯାଇ ଭୋପାଳ ସ୍ଥିତ ନ୍ୟାସନାଲ ହାଇ ସିକିଓର ଡିଜିଜ୍ ଲାବରେଟୋରିକୁ ପରୀକ୍ଷା ପାଇଁ ପଠାଯାଇଥିଲା । ୨ ଟି କୁକୁଡ଼ା ଏବଂ ୨ଟି କାଉ ସାମ୍ପଲରେ ପଜିଟିଭ୍‌ ଆସିଛି। ସେହି ଅଞ୍ଚଳରେ କୁକୁଡ଼ା ମାଂସ ଓ ଅଣ୍ଡା ବିକ୍ରି ଉପରେ କଟକଣା ରହିଛି।

କୃଷ୍ଣପ୍ରସାଦ ଠାରୁ ମାତ୍ର ୧୪ କିଲୋମିଟର ଦୂର ଚିଲିକାର ପକ୍ଷୀ ଅଭୟାରଣ୍ୟ ନଳବଣ ଥିବାରୁ ଫ୍ଲୁ ବ୍ୟାପିବା ନେଇ ଆଶଙ୍କା ବଢିଯାଇଚି । ସେ ସଂପର୍କରେ ଅନୁଧ୍ୟାନ ପାଇଁ ଏଡିଆରଆଇର ଏକ ବିଶେଷଜ୍ଞ ଟିମ୍ ନଳବଣ ଯିବ । ଚିଲିକା ଡେଭେଲପମେଣ୍ଟ ଅଥରିଟି ପକ୍ଷରୁ ବାର୍ଡ ଫ୍ଲୁର ପ୍ରତିକାର ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜ୍ୟୋଅରର ପ୍ରସ୍ତୁତ ହୋଇଛି । ଧିରେଧିରେ ଚିଲିକା ନଳବଣ ଅଞ୍ଚଳରେ ବିଦେଶାଗତ ପକ୍ଷୀ ମାନଙ୍କ ସମାଗମ ବୃଦ୍ଧି ପାଉଥିବାବୁର ଏସବୁ ଅଞ୍ଚଳରେ ସଦର୍କତା ଅବଲମ୍ବନ କରାଯାଇଛି ।
ତେବେ ସ୍କୁଲ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନେରେ ଦିଆଯାଉଥିବା ଅଣ୍ଡା ଦେବାରେ କୌଣସି ଅସୁବିଧା ନଥିବା ବିଭାଗୀୟ ସଚିବ ସ୍ପଷ୍ଟ କରିଛନ୍ତି ।