ଆସନ୍ତା ୧୮ରୁ ୨୪ ତାରିଖ ଯାଏଁ ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା

ରାଜନଗର : ଭିତର କନିକାରେ ଦେଶୀୟ ପକ୍ଷୀ ବାରମ୍ବାର ଠିକଣା ବଦଳାଉଛନ୍ତି। ପକ୍ଷୀବିହାର ରୂପେ ପରିଚିତ ବଗ ଗହନକୁ ଛାଡି ୪/୫ବର୍ଷ ହେଲା ମଠଆଡିଆରେ ବସା ବାନ୍ଧୁଥିଲେ ଦେଶୀୟ ପକ୍ଷୀ। ମାତ୍ର ଏ ବର୍ଷ ଦେଶୀୟ ପକ୍ଷୀ ପୁଣି ଠିକଣା ବଦଳାଇଛନ୍ତି। ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଲକ୍ଷ୍ମୀପ୍ରସାଦଡିଆରେ ସେମାନେ ବସା ବାନ୍ଧି ଅଣ୍ତା ଦେଇଛନ୍ତି। ମଠଆଡିଆରେ ଅଳ୍ପ ସଂଖ୍ୟକ ପକ୍ଷୀ ବସା ବାନ୍ଧିଥିବା ବେଳେ ଲକ୍ଷ୍ମୀପ୍ରସାଦଡିଆରେ ଏତେ ସଂଖ୍ୟକ ପକ୍ଷୀ ବସା ବାନ୍ଧିବା ଘଟଣା ସାମ୍ନାକୁ ଆସିଛି। ଆସନ୍ତା ୧୮ରୁ ୨୪ ତାରିଖ ଯାଏଁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବ ବୋଲି ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।

ଭିତରକନିକାରେ ଭିଡ ଜମାଇଥିବା ଦେଶୀୟ ପକ୍ଷୀଙ୍କ ଗଣନା ଅଗଷ୍ଟ ୨୩ ରୁ ୨୯ ତାରିଖ ଯାଏଁ ୭ଦିନ ଧରି ହୋଇଥାନ୍ତା। ଗଣନାକାରୀ ଟିମ ମଠଆଡିଆରେ ପହଞ୍ଚିବା ପରେ ମାତ୍ର ଅଳ୍ପ ସଂଖ୍ୟକ ପକ୍ଷୀ ବସା ବାନ୍ଧିଥିବା ଓ ହଜାର ହଜାର ପକ୍ଷୀ ବସା ବାନ୍ଧିବା ପାଇଁ କୁଟା କାଠି ଧରି ଉଡୁଥିବା ଦେଖିବାକୁ ପାଇଥିଲେ। ଫଳରେ ଗଣନା ବନ୍ଦ ରହିଥିଲା। ଏହାପରେ ଚଳିତମାସ ୨ ତାରିଖ ଦିନ ଲକ୍ଷ୍ମୀପ୍ରସାଦଡିଆରେ ହଜାର ହଜାର ଦେଶୀୟ ପକ୍ଷୀ ବସା ବାନ୍ଧିଥିବା ଦେଖିବାକୁ ମିଳିଥିଲା। ବନବିଭାଗ ଟିମ ଘଟଣାସ୍ଥଳ ଅନୁଧ୍ୟାନ କରି ଡିଏଫଓଙ୍କୁ ରିପୋର୍ଟ ଦେଇଥିଲେ। ଆସନ୍ତା ୧୮ ରୁ ୨୪ ତାରିଖ ୭ଦିନ ଧରି ଭିତରକନିକାର ମଠଆଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଗଣନା କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ୩ଟି ଟିମ୍ ଏହି ପକ୍ଷୀଙ୍କ ଗଣନା କରିବେ।