ବିସ୍ମୟ ବାଳକ ବିରଜା, ଅନର୍ଗଳ ଗାଉଛି ଭାଗବତ

ଯାଜପୁର: ‘ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ; ସେ ମକରନ୍ଦ ପାନ କରି, ହେଳେ ତରିଲେ ବ୍ରଜ ନାରୀ ।’ ଏହି ପଂକ୍ତିଟି ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତର । ଘରେ ଘରେ ପରିଚିତ ଏହି ଓଡ଼ିଆ ଭାଗବତ । ପ୍ରତିଦିନ ମନ୍ଦିରଠାରୁ ଆରମ୍ଭ କରି ପ୍ରାୟ ସମସ୍ତଙ୍କ ଘରେ ଘରେ ପାଠ କରାଯାଏ ଏହି ଭାଗବତ । କୁହାଯାଏ ଯେ ଭାଗବତ ପାଠ କରେ ତାକୁ ଯେତିକି ପୁଣ୍ୟ ମିଳେ, ତା’ଠାରୁ ଢେର ଅଧିକ ତାଙ୍କୁ ମିଳେ ଯିଏ ଏହାକୁ ଶ୍ରବଣ କରନ୍ତି । ଭାଗବତ ପାଠରେ ନଥାଏ କୌଣସି ବୟସ ବାଧକ । ତେବେ ଯାଜପୁର ବ୍ରହ୍ମବରଦାର ଏକ କୁନି ବାଳକ ଅନର୍ଗଳ ଗାଇ ଚାଲିଛି ଭାଗବତର ପଂକ୍ତି ସବୁ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ।

ବୟସ ମାତ୍ର ୬ ବର୍ଷ । ପାଟିରେ ଭଲ ଭାବେ କିଛି ଶବ୍ଦର ଉଚ୍ଚାରଣ କଷ୍ଟ ହେଲେ ବି ଭାଗବତ ଗାଉଛି ଅନର୍ଗଳ । ଏକଥା ବିଶ୍ବାସ ନହେଲେ ବି ସତ । ଖେଳିବା ବୁଲିବା ବୟସରେ ଏପରି ଆଧ୍ୟାତ୍ମିକ ଭାବ ତଥା ଭାଗବତ ପଢ଼ିବାର ନିଶା ଆଜି ତାଙ୍କୁ ଦେଇଛି ଏକ ନୂଆ ପରିଚୟ । ଯାଜପୁର ବ୍ରହ୍ମବରଦା ନିକଟସ୍ଥ ବାଘସାହି ଗ୍ରାମର ଅଶୋକ କୁମାର ପାଢ଼ୀ ଓ ମନୋଜ ମଞ୍ଜରୀ ପାଢ଼ୀଙ୍କର ଜ୍ୟୋଷ୍ଠ ପୁତ୍ର ବିରଜା ଶଙ୍କର ପାଢ଼ୀ । ନିଜ ଆଈଙ୍କ ପ୍ରେରଣାରେ ଶୈଶବରୁ ଭାଗବତ ପ୍ରତି ବିରଜାଙ୍କର ବଢିଛି ରୁଚି ।ଆଈଙ୍କ ପାଖରେ ରହି ବିରଜା ଶୁଣି ଶୁଣି ଭାଗବତ ମନେ ରଖିଛନ୍ତି ବୋଲି କୁହନ୍ତି ।

କେବଳ ଏତିକି ନୁହେଁ, ବିରଜା ଜଣେ ମେଧାବୀ ଛାତ୍ର ମଧ୍ୟ । ଅର୍ଥ ଅଭାବରୁ ସେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଙ୍ଗରାଜପୁରରେ ଥିବା ମାମୁଁଙ୍କ ଘରେ ରହି ପାଠ ପଢ଼ନ୍ତି । ପ୍ରତିଦିନ ବିଦ୍ୟାଳୟର ପ୍ରାର୍ଥନା ସଭାରେ ସେ ଭାଗବତ ପାଠ କରନ୍ତି । ତେବେ ଆର୍ଥିକ ସ୍ବଚ୍ଛଳ ନଥିବା ଏହି ପରିବାର ବିରଜାଙ୍କ ପ୍ରତିଭାର ବିକାଶ ପାଇଁ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ଯଦି ସରକାର ଏହି ପରିବାରକୁ ସହାୟତାର ହାତ ବଢାନ୍ତି ତେବେ ବିରଜାଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବା ସହ ଓଡ଼ିଆ ଗ୍ରନ୍ଥ ଭାଗବତର ବି ପ୍ରଚାର ପ୍ରସାର ହୋଇପାରନ୍ତା ବୋଲି ବିରଜାଙ୍କ ସମ୍ପର୍କୀୟ କହିଛନ୍ତି ।

ଭାଗବତ ପଢ଼ି ବହୁ ଅନୁଷ୍ଠାନ ପକ୍ଷରୁ ବିରଜାଶଙ୍କର ସମ୍ବର୍ଦ୍ଧିତ ହୋଇଛନ୍ତି । ବିରଜାଶଙ୍କର ଭାଗବତ ପାଠ କରି ସମସ୍ତଙ୍କର ମନ ଜିଣିବା ସହ ଭଲ ପାଠ ପଢି ସମାଜରେ ଜଣେ ଭଲ ମଣିଷ ହୁଅନ୍ତୁ, ଏତିକି ଈଟିଭି ଭାରତ ପରିବାର ତରଫରୁ ବିରଜାଙ୍କୁ ଶୁଭକାମନା ।