କଟକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କର ପରଲୋକ ଘଟିଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ କଟକର ବଡ଼ ମେଡିକାଲରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା । କିଛିଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ।
ସେ ବହୁ ବର୍ଷ ଧରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଓ ବିଶ୍ୱହିନ୍ଦୁ ପରିଷଦ ଭଳି ଜାତୀୟତାବାଦୀ ସଂଗଠନ ସହ ଜଡ଼ିତ ଥିଲେ। ବିପିନ ବିହାରୀ ରଥ ବିଶ୍ବହିନ୍ଦୁ ପରିଷଦର ରାଜ୍ୟ ସଭାପତି ଦାୟିତ୍ବ ନିର୍ବାହ କରିଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟଳୟର ବିଚାରପତି ବିଶ୍ୱନାଥ ରଥ ହେଉଛନ୍ତି ବିପିନ ବିହାରୀ ରଥଙ୍କ ସୁପୁତ୍ର। ଜଣେ ଆଇନଜୀବୀ ଭାବେ ସେ ବେଶ ଲୋକପ୍ରିୟ ଥିଲେ। ପୁରୀର ସ୍ବର୍ଗଦ୍ବାରଠାରେ ବିପିନ ବିହାରୀ ରଥଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ତାଙ୍କର ବିୟୋଗରେ କଟକରେ ଶୋକର ଛାୟା ଖେଳିଯାଇଛି।