ଭୁବନେଶ୍ୱରରେ ବିଲ୍ ଗେଟ୍ସ

ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଲ୍ ଗେଟ୍ସ। ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟସ୍‌ ମଙ୍ଗଳବାର ରାତିରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। ଆଜି ସେ ଭୁବନେଶ୍ୱରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ।

ବିଲ୍ ଗେଟ୍ସ ଭୁବନେଶ୍ୱରରେ ମାଆ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିବେ। ଏହାସହ ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ଅନୁଧ୍ୟାନ କରିବେ ବିଲ ଗେଟସ୍। କିଟ୍ ଆଉ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଏକ ବୈଠକ କାର୍ଯ୍ୟକ୍ରମ ରହିଛି ।

ଏହାପରେ କୃଷି ଭବନ ପରିଦର୍ଶନ କରିବା ସହ କୃଷି ସମୀକ୍ଷା କେନ୍ଦ୍ର ଯାଇ ଅନୁଧ୍ୟାନ କରିବେ। ବିଲ୍ ଆଣ୍ଡ ମେଲିନ୍ଦା ଗେଟସ୍ ଫାଉଣ୍ଡେସନର ବୈଷୟିକ ସହଯୋଗରେ ଚାଲିଛି କୃଷି ସମୀକ୍ଷା କେନ୍ଦ୍ର। କୃଷିର ଇଣ୍ଟିଗ୍ରେଟେଡ୍ କମାଣ୍ଡ ସିଷ୍ଟମ ଭାବେ କୃଷି ସମୀକ୍ଷା କେନ୍ଦ୍ର କାମ କରୁଛି। କୃଷି ସମୀକ୍ଷା କେନ୍ଦ୍ର ଜରିଆରେ ଜମି ନଥିବା ଚାଷୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଉଛି। ଏହାପରେ ବିଲ ଗେଟସ୍ ମିଶନ ଶକ୍ତି ବଜାର ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ବିଲ୍ ଗେଟ୍ସଙ୍କ ଓଡ଼ିଶା ଗସ୍ତ ଅନେକ ସମ୍ଭାବନା ନେଇଆସିଛି। ବିଶେଷକରି କୃଷି କ୍ଷେତ୍ରରେ ଏଆଇର ପ୍ରଚଳନ ଏବଂ ଜାଗାମିଶନ ଓ ମିଶନ ଶକ୍ତି କ୍ଷେତ୍ରରେ ନୂଆ ଆଶା ସୃଷ୍ଟି ହୋଇଛି।