ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ବି.ଜେ.ବି କଲେଜ୍‌ରେ ଲ୍ୟାପ୍‌ଟପ୍‌ ବାଣ୍ଟିଲେ ମନ୍ତ୍ରୀ

ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କ ସ୍ୱପ୍ନ ଓ ସମ୍ଭାବନାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଯନି ଓ ତତ୍ପରତା ଉଲ୍ଲେଖଯୋଗ୍ୟ ହୋଇଥିବାବେଳେ ବଶ୍ୱ ଶିକ୍ଷା ମାନଚିତ୍ରରେ ଓଡ଼ିଆ ବିଦ୍ୟାର୍ଥୀମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି ଲକ୍ଷ୍ୟରେ ତାଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ନିମନ୍ତେ ସମସ୍ତ ଉଦ୍ୟମ ଅବ୍ୟାହତ ରହିବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ବିଜୁ ଯୁବ ସଶକ୍ତିକରଣ ଯୋଜନା ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଜୁନିଅର କଲେଜ୍‌ରୁ ୨୦୧୯ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଲ୍ୟାପ୍‌ଟପ୍‌ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶାର ଯୁବଛାତ୍ରମାନେ ସଶକ୍ତ ହେବା ଉପରେ ତାଙ୍କ ବିଭାଗ ଗୁରୁତ୍ୱ ଦେଇଛି ।
ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୁକ୍ତ-୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲ୍ୟାପ୍‌ଟପ୍‌ ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସବୁମତେ ପ୍ରୋତ୍ସାହନ ଯୋଗାଇଦେବା ସରକାରଙ୍କ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ଏହା ଫଳରେ ରାଜ୍ୟରେ ଏକ ଶକ୍ତିଶାଳୀ ମାନବସମ୍ବଳ ଗଠନ ସମ୍ଭବ ବୋଲି ସେ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢାଲି, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ, ଖୋର୍ଦ୍ଧା ବିଦାୟକ ଶ୍ରୀ ଜ୍ୟୋତୀରିନ୍ଦ୍ରନାଥ ମିତ୍ର ଓ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ଦଳାଇ ପ୍ରମୁଖ ବକ୍ତବ୍ୟ ରଖିଥିବାବେଳେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୀତାଂଶୁ
କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । କଲେଜ ଅଧ୍ୟକ୍ଷା ଡ. ସୁପ୍ରଭା ପଟ୍ଟନାୟକ ମଧ୍ୟ ବକ୍ତବ୍ୟ ରଖିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ (ରବିବାର ଛୁଟିଦିନ ବ୍ୟତୀତ) ପୂର୍ବାହ୍ନ ୧୦ଟାରୁ ଅପରାହ@ ୪ଟା ମଧ୍ୟରେ କଲେଜ୍‌ର ପ୍ରଶାସନିକ କୋଠରି ନଂ-୧୦୨ରେ ମେଧାବୀ ବିଦ୍ୟାର୍ଥୀଙ୍କ ମାଗଣା ଲ୍ୟାପ୍‌ଟପ୍‌ ପ୍ରଦାନ କରାଯିବା କାର୍ଯ୍ୟକ୍ରମ ଅବ୍ୟାହତ ରହିବ । ଏ ସଂପର୍କିତ ସଂପୂର୍ଣ୍ଣ ବିବରଣୀ କଲେଜ୍‌ରେ ୱବ୍‌ସାଇଟଇ ଡବ୍ଲì୍ୟ.ଡବ୍ଲì୍ୟ.ଡବ୍ଲì୍ୟ.ବିଜେବିକଲେଜ୍‌.ଇନ୍‌ରେ ଉପଲବ୍ଧ ହେବ ବୋଲି ଲ୍ୟାପ୍‌ଟପ୍‌ ବିତରଣ ଦାୟିତ୍ୱରେ ଥିବା ଅଧ୍ୟାପକ ଶ୍ରୀ ଲକ୍ଷ୍ମୀଧର ଭୋଳ ପ୍ରକାଶ କରିଥିବାବେଳେ ଆଜିର କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଅଧ୍ୟାପକଅଧ୍ୟାପିକା, ବିଦ୍ୟାର୍ଥୀ, ନିମନ୍ତ୍ରିତ ଭଦ୍ରବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।