ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ  କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଏହି ସ୍ବାସ୍ଥ୍ୟ ସେବା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ସମସ୍ତ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ମାଗଣାରେ ମିଳିବ । ଡାକ୍ତର ପରାମର୍ଶ, ରୋଗ ପରୀକ୍ଷା, ଅସ୍ତ୍ରୋପଚାରଠାରୁ ଆରମ୍ଭ କରି ଔଷଧ ସବୁକିଛି ବିନା ମୂଲ୍ୟରେ ମିଳିବ । ଏପରିକି ଓପିଡିରେ ଟିକେଟ ପାଇଁ ପୂର୍ବରୁ ଦିଆଯାଉଥିବା ୫ ଟଙ୍କା ଲେଖାଏଁ ଆଉ ମଧ୍ୟ ଦେବାକୁ ପଡ଼ିବ ନାହିଁ । ଏହି ଯୋଜନାରେ ପ୍ରତି ପରିବାର ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସେବା ପାଇ ପାରିବେ । ଏହି ଟଙ୍କାରେ ପଞ୍ଜିକୃତ ଘରୋଇ ଡାକ୍ତରଖାନାରେ  ମଧ୍ୟ ଜନସାଧାରଣ ଚିକିତ୍ସା କରାଇ ପାରିବେ । ଏହି ସ୍କିମ୍  ମାଧ୍ୟମରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ।  ପରିବାରରେ ଅଧିକ ସ୍ବାସ୍ଥ୍ୟଗତ ସମସ୍ୟା ଭୋଗୁଥିବା ମହିଳାଙ୍କ ପାଇଁ ଅତିରିକ୍ତ ୨ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ମଧ୍ୟ  ଘୋଷଣା କରିଛନ୍ତି । ଏହି ଯୋଜନାର ସଫଳ ରୂପାୟନ ପାଇଁ ଏକ ହେଲପଡେକ୍ସ ମଧ୍ୟ ଖୋଲା ଯାଇଛି । ଯାହା ମାଧ୍ୟରେ ଯୋଜନା ସମ୍ପର୍କୀତ ସମସ୍ତ ତଥ୍ୟ ପାଇପାରିବେ ହିତାଧିକାରୀ ।