ସ୍ୱାସ୍ଥ୍ୟ ବିଭାଗ ଓ ବିଜୁ ପଟ୍ଟନାୟକ ବିମାନବନ୍ଦର ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଭୁବନେଶ୍ୱର ଆର୍ନ୍ତଜାତୀୟ ବିମାନ ବନ୍ଦର ମଧ୍ୟରେ ଆଜି ଏକ ରାଜିନାମା ହୋଇଯାଇଛି । ରାଜିନାମା ଅନୁଯାୟୀ ଜାତୀୟ ବିମାନ ବନ୍ଦର ପ୍ରାଧିକରଣ ଓ ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନ ବନ୍ଦର ପକ୍ଷରୁ ସିଏସ୍‍ଆର ପାଣ୍ଠି ସହାୟତାରେ କ୍ୟାପିଟାଲ ହସ୍ପିଟାଲ ଓ ନୀଆଳି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ବିକାଶ କରାଯିବ । ଲୋକସେବା ଭବନ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଉପସ୍ଥିତିରେ ଏହି ରାଜିନାମାରେ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ହରପ୍ରସାଦ ପଟ୍ଟନାୟକ ଓ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସ୍ୱାକ୍ଷର କରିଥିଲେ । ରାଜିନାମା ଅନୁଯାୟୀ କ୍ୟାପିଟାଲ ହସ୍ପିଟାଲକୁ ବିମାନ ବନ୍ଦର କର୍ତ୍ତୃପକ୍ଷ ୪କୋଟି ୭୪ଲକ୍ଷ ଟଙ୍କା ଯୋଗାଇ ଦେବେ । ଏହି ଅର୍ଥରେ ହସ୍ପିଟାଲରେ ଦୁଇଟି ମଡ୍ୟୁଲାର ଅପରେସନ ଗୃହ (ଓଟି) ସହିତ ଆଉ ଗୋଟିଏ ସାଧାରଣ ଓଟି ନିର୍ମାଣ ହେବ । ସେହିପରି ନିଆଳୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୋଠାର ସମ୍ପ୍ରସାରଣ କରାଯିବ । ଏଥି ସହିତ ଏହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅତ୍ୟାଧୁନିକ ଡାକ୍ତରୀ ଯନ୍ତ୍ରପାତି ଯୋଗାଣ ସହିତ ଏଠାରେ ନୂତନ ମହିଳା ଓ ଶିଶୁ ଗୃହ ନିର୍ମାଣ ହେବ । ଏଥିପାଇଁ ନିଆଳୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ୬କୋଟି ୭୪ଲକ୍ଷ ଟଙ୍କା ମିଳିବ । ଏହି ରାଜିନାମା ସ୍ୱାକ୍ଷର ଅବସରରେ ବିଭାଗର ଅତିରିକ୍ତ ସଚିବ ସୁଶାନ୍ତ ମହାପାତ୍ର, ଯୁଗ୍ମ ସଚିବ ସ୍ମିତା ବିଶ୍ୱାଳ, ନିର୍ଦ୍ଦେଶକ କ୍ୟାପିଟାଲ ହସ୍ପିଟାଲ, ସିଡିଏମ୍‍ଓ କଟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।