ଇଣ୍ଡୋନେସିଆରେ ଝଲସିବ ବିଜୁବାବୁଙ୍କ ଗ୍ୟାଲେରି

ଭୁବନେଶ୍ୱର: ଖୁବ୍ ଶୀଘ୍ର ଇଣ୍ଡୋନେସିଆରେ ଝଲସିବ ବିଜୁବାବୁଙ୍କ ଗ୍ୟାଲେରି । ଏ ନେଇ ଅଗୁସ ଇନ୍ଦ୍ର ଉଦାୟନ ସୂଚନା ଦେଇଛନ୍ତି । ଇଣ୍ଡୋନେସିଆ ସହ ବିଜୁ ବାବୁଙ୍କ ସମ୍ପର୍କ ସମ୍ବନ୍ଧରେ ପ୍ରାୟ ସମସ୍ତେ ଜାଣିଥିବା ବେଳେ ବିଜୁ ବାବୁଙ୍କ ପ୍ରତି ଇଣ୍ଡୋନେସିଆବାସୀଙ୍କ ପ୍ରେମ ଯେ ଏବେ ବି ବଳବତ୍ତର ରହିଛି ତାହା ଅନୁଭବ ‌କରିବାର ସୁଯୋଗ ମିଳିଥିଲା। ଦୀର୍ଘ ୨୦ ବର୍ଷ ଧରି ଗାନ୍ଧୀଜୀଙ୍କ ବାର୍ତାକୁ ଇଣ୍ଡୋନେସିଆରେ ପ୍ରଚାର କରୁଥିବାରୁ ଅଗୁସ ଇନ୍ଦ୍ର ଉଦାୟନଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିବା ବେଳେ, ଓଡ଼ିଶା ଗସ୍ତରେ ଆସି ଇଣ୍ଡୋନେସିଆ ବିଜୁ ଗ୍ୟାଲେରି ‌କରାଯିବା ନେଇ ସୂଚନା ଦେଇଛନ୍ତି। ପଦ୍ମଶ୍ରୀ ଅଗୁସ ଇନ୍ଦ୍ର ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି (ଇପିଏ) ପରିସରରେ ଥିବା ବିଜୁ ଗ୍ୟାଲେରି ବୁଲି ଦେଖିବା ପରେ ଏହିପରି ଏକ ଗ୍ୟାଲେରି କରିବା ନେଇ ସେ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ଏଥିସହ ବିଜୁବାବୁଙ୍କ ଜୀବନିକୁ ନେଇ ଏକ କ୍ଷୁଦ୍ର ପୁସ୍ତକ ପ୍ରକାଶ କରାଯିବ। ସେଥିରେ ବିଜୁ ବାବୁଙ୍କ ସାହସିକତା ଓ ଜୀବନୀକୁ ନୂତନ ପିଢ଼ି ପାଖରେ ପହଂଚାଯିବ ବୋଲି ସେ କହଛନ୍ତି।