ବିଜେପୁର ଉପନିର୍ବାଚନ: ବିଜେପି ପ୍ରାର୍ଥୀ ହେଲେ ସନତ ଗଡ଼ତିଆ

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି। ଗତ ସାଧାରଣ ନିର୍ବାଚନରେ ଦଳର ପ୍ରାର୍ଥୀ ହୋଇଥିବା ସନତ ଗଡ଼ତିଆଙ୍କ ଉପରେ ଦଳ ପୁଣି ଆସ୍ଥା ସ୍ଥାପନ କରିଛି। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଶ୍ରୀ ଗଡ଼ତିଆଙ୍କ ନାମରେ ମୋହର ମାରିଛନ୍ତି। ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେ ପି ନଡ୍ଡ‌ା ଆଜି ଏହି ଘୋଷଣା କରିଛନ୍ତି।

ବିଜେପି ପ୍ରାର୍ଥୀ ଘୋଷଣା କରିବା ସହ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ଘେରିଛି। ବରଗଡ଼ ସାଂସଦ ସୁରେଶ ପୂଜାରୀ ସିଧାସଳଖ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟା‌େର୍ଗଟ୍‌ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଦୁଇଟି ସ୍ଥାନରେ ନିର୍ବାଚନ ଲଢ଼ିବା ଯୋଗୁ ବିଜେପୁରରେ ଆଜି ଉପନିର୍ବାଚନ ହେଉଛି। ଉପନିର୍ବାଚନ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ। ୬ ମାସ ଧରି ବିଜେପୁର ନିର୍ବାଚନମଣ୍ଡଳୀ ଅପ୍ରତିନିଧିତ୍ବ ହୋଇ ଚାଲିଛି। ସେହି ଅଞ୍ଚଳର ଯେଉଁ ବିକାଶର କ୍ଷତି ହେଲା, ସେଥି ପାଇଁ ବି ମୁଖ୍ୟମନ୍ତ୍ରୀ ଦାୟୀ।

ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଟି ପ୍ରଶ୍ନ ପଚାରିଛନ୍ତି ଶ୍ରୀ ପୂଜାରୀ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜେପୁର ସାଧାରଣ ନିର୍ବାଚନ ପାଇଁ କାହିଁକି ଆସିଥିଲେ ଓ କାହିଁକି ଛାଡ଼ି ପଳେଇଲେ? ୨୦୧୮ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ବିଜେପୁର ବିକାଶ ଦାୟିତ୍ବ ହାତକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏକ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ବିଜେପୁରରେ କ’ଣ ବିକାଶ କରିଛନ୍ତି? ବିଜେପୁରରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ କେତୋଟି ଆରମ୍ଭ ହୋଇଛି ଓ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଏଯାବତ୍ ଆରମ୍ଭ ହେଲା ନାହିଁ କାହିଁକି? ବରଗଡ଼ରେ ଚାଷୀମାନଙ୍କୁ ୧୦୦ ଟଙ୍କା ‌ବୋନସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା କାହିଁକି କାର୍ଯ୍ୟକାରୀ ହେଲା ନାହିଁ? ୨୦୧୮ ଉପନିର୍ବା‌ଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେପୁରରେ ଡାକ୍ତର, ଶିକ୍ଷକ ଆଦି ପଦବି ପୂରଣ କରାଗଲା। କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କୁ କାହିଁକି ଫେରାଇ ନିଆଗଲା ? ବିଜେଡିର ଠକାମିକୁ ଲୋକ ଚିହ୍ନି ସାରିଛନ୍ତି ଓ ବିଜେପୁର ଉପନିର୍ବାଚନରେ ଜିତିବା ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।