ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର : ଓଲିଉଡର ବରିଷ୍ଠ କଳାକାର ବିଜୟ ମହାନ୍ତି ଆଉ ନାହାନ୍ତି । ସୋମବାର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ମୃତ୍ୟୁବେଳକୁ ୭୦ ବର୍ଷ ବୟସ ହୋଇଥିଲା । 

ଆଜି ସଂଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛିଦିନ ଧରି ସେ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଘରକୁ ଯିବାକୁ ଇଚ୍ଛା କରିବାରୁ ତାଙ୍କୁ କିଛିଦିନ ତଳେ ସହିଦ ନଗରସ୍ଥିତ ଆପାର୍ଟମେଣ୍ଟକୁ ଅଣାଯାଇଥିଲା । ଆଜି ପୁଣି ସେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତାଙ୍କୁ କେୟାର ହସ୍ପିଟାଲରେ ରେ ଭର୍ତ୍ତି କରାଯାଇଥିଲା । ଗତ ମାସରେ ତାଙ୍କୁ ହାଇଦ୍ରାବାଦର ଏକ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଗତ ୪/୫ ବର୍ଷ ହେବ ସେ ହାଇଦ୍ରାବାଦରେ ଥିବା ତାଙ୍କ ଝିଅ ପାଖରେ ରହୁଥିଲେ ।

ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ଦିଲ୍ଲୀରୁ ପ୍ରଶିକ୍ଷଣପ୍ରାପ୍ତ ବିଜୟ ମହାନ୍ତି ୧୯୭୬ ମସିହାରେ ‘ନାଗଫାଶ’ ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଉଚ୍ଚକୋଟୀର ଅଭିନୟ ନିମନ୍ତେ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଛନ୍ତି। ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ‘ଭୁଲି ହୁଏନା’ ନାମକ ଏକ ଚଳଚ୍ଚିତ୍ରରେ ସେ ନିର୍ଦେଶନା ଦେଇଛନ୍ତି। ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାରେ ପଢିବା ବେଳେ ବିଶିଷ୍ଟ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହା, ରାଜବବର ଓ ଓମ ପୁରୀ ତାଙ୍କର ସହପାଠୀ ଥିଲେ ।