ଓଲିଉଡ ଅଭିନେତା ବିଜୟ ମହାନ୍ତି ହସ୍ପିଟାଲରେ ଭର୍ତି

ଭୁବନେଶ୍ୱର: ଓଲିଉଡ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଅଭିନେତା ବିଜୟ ମହାନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ ୧୯୫୦ ମସିହାରେ  କେନ୍ଦ୍ରପଡ଼ାରେ ଜନ୍ମଗ୍ରହଣ କରିଥିବାବେଳେ ବିଜୟ ମହାନ୍ତିଙ୍କ ପିଲାଦିନ ବାରିପଦାରେ କଟିଛି। ସ୍କୁଲରେ  ପଢ଼ୁଥିବା ସମୟରୁ ହିଁ ସେ ଅଭିନୟ ଆରମ୍ଭ କରିଥିଲେ ମଧ୍ୟ ସ୍ନାତକ ପରେ ସେ ପୁଣି ନ୍ୟାସନ୍ୟାଲ ସ୍କୁଲ ଅଫ୍‍ ଡ଼୍ରାମାରେ ନାମ ଲେଖାଇଥିଲେ। ନାୟକ ଠାରୁ ଆରମ୍ଭ କରି ଖଳନାୟକ, ହାସ୍ୟଅଭିନେତା ଓ ନିର୍ଦ୍ଦେଶକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।

ତାଙ୍କ ଅଭିନୟ ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ରାଜନୀତି କ୍ଷେତ୍ରରେ ମଧ୍ୟ ନିଜକୁ ପଛରେ ଛାଡ଼ନାହାନ୍ତି ବିଜୟ। ୨୦୧୪ରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀତ୍ୱ କରିଥିଲେ। ତେବେ ସେ ଏବେ ରାଜନୀତିରୁ ପ୍ରାୟ ଦୂରେଇ ଯାଇଛନ୍ତି।