ଭାରତ ଏବଂ ଭିଏତନାମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ସହଭାଗିତା ନେଇ ବଡ଼ ସୁଯୋଗ ରହିଛି : କନ୍‌ସଲ୍ ଜେନେରାଲ

ଭୁବନେଶ୍ୱର : ଭାରତ ଏବଂ ଭିଏତନାମର ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ସହଯୋଗିତା ଏବଂ ଛାତ୍ରଛାତ୍ରୀ-ଶିକ୍ଷକ ଶିକ୍ଷୟତ୍ରୀ ବିନିମୟ ନେଇ ବଡ଼ ସୁଯୋଗ ରହିଛି ବୋଲି ଗୁରୁବାର ଭିଏତନାମରେ ଅବସ୍ଥାପିତ ଭାରତର କନ୍‌ସଲ୍ ଜେନେରାଲ୍ ଡକ୍ଟର ମଦନ ମୋହନ ସେଠୀ କହିଛନ୍ତି ।
ହୋ ଚି ମିନ୍ ସହରରେ ପ୍ରାୟ ୫୦ ଟି ବିଶ୍ୱବିଦ୍ୟାଳୟ ଏବଂ ସମାନ ସଂଖ୍ୟକ ଉଚ୍ଚ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଛାତ୍ରଛାତ୍ରୀ-ଶିକ୍ଷକ ଶିକ୍ଷୟତ୍ରୀ ବିନିମୟ ଏବଂ ଗବେଷଣାରେ ସହଯୋଗିତା ନେଇ ଭିଏତନାମର ଅନେକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହିତ ଚୁକ୍ତି ସ୍ୱାକ୍ଷର କରିବାର ସୁଯୋଗ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବରିଷ୍ଠ ଅଧିକାରୀଙ୍କ ସହ ଗୁରୁବାର ଆଲୋଚନା ସମୟରେ ଡକ୍ଟର ସେଠୀ କହିଥିଲେ ।
ଭିଏତନାମର ଭୌଗଳିକ ଆକାର ରାଜସ୍ଥାନ ସହିତ ସମାନ ହୋଇଥିôବା ବେଳେ ଏହାର ଅର୍ଥନୈତିକ କ୍ଷେତ୍ର ବେଶ ସୁଦୃଢ଼ ଏବଂ ଏହାର ଜିଡିପି ରାଜସ୍ଥାନ ଠାରୁ ୩ ଗୁଣା ଅଧିକ ହେବା ସହ ଏହାର ପର୍ଯ୍ୟଟନ ଶିଳ୍ପ ଖୁବ୍ ଉନ୍ନତମାନର ଏବଂ ବାର୍ଷିକ ପ୍ରାୟ ୩୦ ମିଲିୟନ୍ ବିଦେଶୀ ପର୍ଯ୍ୟଟକ ଏଠାକୁ ଭ୍ରମଣ କରିବାକୁ ଆସିଥାନ୍ତି ଯାହାର ସଂଖ୍ୟା ଭାରତ ଠାରୁ ଅନେକ ଗୁଣା ଅଧିକ ବୋଲି ସେ କହିଛନ୍ତି ।

BIG SCOPE EXISTS FOR COLLABORATION BETWEEN UNIVERSITIES OF INDIA AND VIETNAM: CONSUL GENERAL
ଭାରତ ସହ ଭିଏତନାମର ସମ୍ପର୍କ ବେଶ ପୁରାତନ । ଦୁଇ ଦେଶ ମଧ୍ୟରେ ଅନେକ ସାଂସ୍କୃତିକ ସମ୍ପର୍କ ମଧ୍ୟ ରହିଛି । ଭିଏତନାମ ଏକ ଦେଶ ଭାବେ ସୃଷ୍ଟି ହେବାରେ ଭାରତର ଅନେକ ଅବଦାନ ରହିଥିବା ବେଳେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ୧୯୫୪ ମସିହାରେ ହାନୋଇ ପରିଦର୍ଶନ କରିଥିଲେ ବୋଲି ସେ କହିଛନ୍ତି । କୃଷି, ପନିପରିବା ଚାଷ, ମତ୍ସ୍ୟପାଳନ ଓ ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ଭିଏତନାମ ଅନେକ ଉନ୍ନତି କରିଥିବା ବେଳେ ଏହାର ଇଲେକ୍ଟ୍ରୋନିକ ଶିଳ୍ପ ମଧ୍ୟ ଅନେକ ଅଗ୍ରଗତି କରିଛି ବୋଲି ସେ କହିଥିଲେ ।
ପରେ ଡକ୍ଟର ସେଠୀ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କୁ ଭେଟି ମତ ଆଦାନ ପ୍ରଦାନ କରିଥିଲେ ।
ଏହି ଅବସରରେ ସୋଆର ଉପ-କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଏବଂ ଶିକ୍ଷାନୁଷ୍ଠାନର ସମସ୍ତ ଡିନ୍ ଉପସ୍ଥିତ ଥିଲେ ।

BIG SCOPE EXISTS FOR COLLABORATION BETWEEN UNIVERSITIES OF INDIA AND VIETNAM: CONSUL GENERAL