ସମନ୍ୱିତ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ନିୟାମକ ଅଭିନବୀକରଣରେ “ବିଶାଳ ତଥ୍ୟ” ଭିତିର ପ୍ରୟୋଗ ପାଇଁ ପ୍ରୟାସ ଆରମ୍ଭ

ଭୁବନେଶ୍ୱର: “ମୋ ସରକାର” ଏବଂ ୫ଟି ସୁତ୍ରର ସଫଳ ରୂପାୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ନିୟାମକ ଅଭିନବୀକରଣରେ ବିଶାଳତଥ୍ୟ (ବିଗ୍ ଡାଟା) ର ପ୍ରୟୋଗ ନିମନ୍ତେ ପ୍ରୟାସ ଆରମ୍ଭ କରାଯାଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟରେ ଏକ ତଥ୍ୟ ନିୟାମକ ଅଭିନବୀକରଣ କେନ୍ଦ୍ର(ଡି.ପି.ଆଇ.ସି) ବିକଶିତ କରିବା ବିଷୟରେ ଚିକାଗୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରସ୍ତାବ ରଖିଥିଲେ ।

ପ୍ରସ୍ତାବର ବିଭିନ୍ନ ଦିଗକୁ ବିଚାର କରି ରାଜ୍ୟରେ ବିଭିନ୍ନ ବିଭାଗରେ ବର୍ତମାନ କାର୍ଯ୍ୟକ୍ଷମ ଥିବା ବ୍ୟବସ୍ଥା ସହ ଏକ ସମନ୍ୱିତ ପ୍ରସ୍ତାବ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ, ବର୍ତମାନ ଅର୍ଥ ବିଭାଗ, ଯୋଜନା ଓ ସମନ୍ୱୟ ବିଭାଗ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମାନଙ୍କରେ ତଥ୍ୟ ସଂଗ୍ରହ ଏବଂ ଅନୁଶୀଳନ କାର୍ଯ୍ୟ କରାଯାଉଛି । ରାଜ୍ୟରେ ନିୟାମକ ଅଭିନବୀକରଣ ଏବଂ ସେବା ଯୋଗାଣ ଆଦି କ୍ଷେତ୍ରରେ ବିଶାଳ ତଥ୍ୟ (ବିଗ୍ ଡାଟା) ର ପ୍ରୟୋଗ ନିମନ୍ତେ ବୈଠକରେ ନୀତିଗତ ସହମତି ପ୍ରକାଶ ପାଇଥିଲା ।

ବୈଠକର ଆଲୋଚନାରୁ ଜଣାପଡିଛି, ଡି.ପି.ଆଇ.ସି ବିଗ୍ ଡାଟା ଏକତ୍ରୀକରଣ, ଆଧୁନିକ ଆର୍ଥିକ ଓ ପରିସଂଖ୍ୟାନ ମୋଡେଲ ମାଧ୍ୟମରେ ସେସବୁର ଅନୁଶୀଳନ ଏବଂ ନିଷ୍କର୍ଷ ଭିତିରେ ପ୍ରଚଳିତ ନିୟାମକର ଅଭିନବୀକରଣ ଆଦି ପାଇଁ ଏକ ଉକ୍ତୃଷ୍ଟ କେନ୍ଦ୍ର ଭାବେ ସହାୟକ ହୋଇପାରିବ । ପ୍ରଶାସନିକ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ‘ବିଗ୍ ଡାଟା’ ର ପ୍ରୟୋଗ ଉପାଦେୟତା ରହିଛି । ରାଜ୍ୟରେ ମୁଖ୍ୟତଃ ଜଳ ଓ ବିଦ୍ୟୁତର ଉପଯୁକ୍ତ ବିନିଯୋଗ, କୃଷି ବିବିଧକରଣ, ପ୍ରଦୁଷଣ ନିୟନ୍ତ୍ରଣ, ଶିକ୍ଷାଗ୍ରହଣ ଫଳାଫଳ ଅଭିବୃଦ୍ଧି, ବିଦ୍ୟୁତ୍ ବଂଟନ ପ୍ରକ୍ରିୟାଜନିତ କ୍ଷତିର ନିୟନ୍ତ୍ରଣ ଆଦି ବିଷୟରେ ଏହା ଅଧିକ ଉପାଦେୟ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ । ଏହି କାର୍ଯ୍ୟ ରାଜ୍ୟ ସରକାର ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟଙ୍କର ସହଭାଗିତାରେ କରିବା ନିମନ୍ତେ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ।

ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥଶ କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍‌, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ ମିଶ୍ର, ଚିକାଗୋ ୟୁନିଭରସିଟି ଶକ୍ତି ନିୟାମକ ଇନଷ୍ଟିଚ୍ୟୁଟ୍ ର ଦକ୍ଷିଣ ଏସିଆ ନିର୍ଦ୍ଦେଶକ ଡଃ ଅନନ୍ତ ସୁଦର୍ଶନଙ୍କ ସମେତ ବିଶେଷକମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।