ବିନାରୋଧୀ ରହିଲେନି, ବିଧାନସଭାରେ ବିଧାନପରିଷଦ ସଂକଳ୍ପ ଗୃହୀତ

ଭୁବନେଶ୍ୱର : ବିଧାନସଭାରେ ବିଧାନପରିଷଦ ଗଠନ ପାଇଁ ଆଗତ ସଙ୍କଳ୍ପ ଗୃହୀତ ହୋଇଯାଇଛି । ସଂକଳ୍ପକୁ ୧୦୪ ଜଣ ବିଧାୟକ ସମର୍ଥନ କରିଥିବା ବେଳେ ଏହା ବିପକ୍ଷରେ ଗୋଟିଏ ବି ଭୋଟ ପଡ଼ିନାହିଁ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସଙ୍କଳ୍ପ ଆଗତ କରିଥିଲେ । ଗୃହରେ ଉପସ୍ଥିତ ଥିବା ବିଜେଡିର ସମସ୍ତ ୧୦୪ ବିଧାୟକ ସଙ୍କଳ୍ପ ସପକ୍ଷରେ ଭୋଟ ଦେଇଥିଲେ । କିନ୍ତୁ ସଂକଳ୍ପ ଗୃହୀତ ହେବା ପୂର୍ବରୁ ଏହାକୁ ବିରୋଧ କରି କଂଗ୍ରେସ ଓ ବିଜେପିର ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ସଙ୍କଳ୍ପ ଗୃହୀତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ୱାଗତ କରି କହିଥିଲେ, ଓଡ଼ିଶାର ବିକାଶଧାରା ଦ୍ରୁତ ଗତିରେ ଚାଲିଛି । ଏହାକୁ ଗତିଶୀଳ କରିବାକୁ ଚିନ୍ତନ ଜରୁରୀ । ଏହି ପରିପ୍ରେକ୍ଷୀରେ ବିଧାନପରିଷଦ ବଡ଼ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ସଙ୍କଳ୍ପ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ କଂଗ୍ରେସ ଓ ବିଜେପି ବିଧାୟକମାନେ ବିଧାନ- ପରିଷଦ ଗଠନକୁ ତୀବ୍ର ସମାଲୋଚନା କରିଥିଲେ । ରାଜ୍ୟ ଋଣ ଭାର ଓ ଦୁର୍ନୀତିରେ ବୁଡ଼ି ରହିଥିବା ବେଳେ ନିର୍ବାଚନୀ ବର୍ଷରେ ଦଳୀୟ ନେତାମାନଙ୍କୁ ଥଇଥାନ ପାଇଁ ବିଜେଡି ସରକାର ଏବେ ବିଧାନପରିଷଦ ଗଠନ କରିବାକୁ ଯାଉଛନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରିଥିଲେ । ଆଜି ସଂସଦୀୟ ବ୍ୟାପର ମନ୍ତ୍ରୀ ଶ୍ରୀ ଆରୁଖ ଗୃହରେ ବିଧାନପରିଷଦ ଗଠନ ସଂକ୍ରାନ୍ତ ସଙ୍କଳ୍ପ ଆଗତ କରି କହିଥିଲେ, ବିଧାନପରିଷଦ ପାଇଁ ଗଠିତ କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛି । ଏବେ ଦେଶର ୭ଟି ରାଜ୍ୟରେ ବିଧାନପରିଷଦ କାର୍ଯ୍ୟ କରୁଛି । ସମ୍ବିଧାନର ଅନୁସାରେ ବିଧାନପରିଷଦ ଗଠନ ହେଲେ ଏହାର ସଭ୍ୟ ସଂଖ୍ୟା ୪୯ ରହିବ । ଏହା ଏକ ସ୍ଥାୟୀ ଗୃହ ଭାବେ କାମ କରିବ; ଯାହାର ଏକ ତୃତୀୟାଂଶ ସଭ୍ୟ ପ୍ରତି ୨ ବର୍ଷରେ ଅବସର ନେବେ । ଏଥିରେ ବାର୍ଷିକ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ମୋଟ ୪୯ ଜଣଙ୍କ ମଧ୍ୟରୁ ୧୬ ଜଣ ବିଧାନସଭାର ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହେବେ ।

ସେହିପରି ଅନ୍ୟ ୧୬ ଜଣ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ସମସ୍ତ ସହରାଞ୍ଚଳର ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦ୍ୱାରା ନିର୍ବାଚିତ ହେବେ । ୪ ଜଣ ସଦସ୍ୟ ରାଜ୍ୟରେ ୩ ବର୍ଷର ଅଭିଜ୍ଞତା ଥିବା ସ୍ନାତକମାନଙ୍କୁ ନେଇ ଏକ ଇଲେକ୍ଟରାଲ୍ କଲେଜ ମାଧ୍ୟମରେ ନିର୍ବାଚିତ ହେବେ । ଆଉ ୪ ଜଣ ସଦସ୍ୟଙ୍କୁ ମାଧ୍ୟମିକ ବା ତଦୁଦ୍ଧ୍ୱର୍ ସ୍କୁଲ୍ରେ ୩ ବର୍ଷରୁ ଊଦ୍ଧ୍ୱର୍ ଅଭିଜ୍ଞତା ଥିବା ଶିକ୍ଷକଙ୍କୁ ନେଇ ଗଠିତ ‘ଇଲେକ୍ଟରାଲ୍ କଲେଜ’ ମାଧ୍ୟମରେ ନିର୍ବାଚିତ କରାଯିବ । ଅବଶିଷ୍ଟ ୯ ଜଣ ସଭ୍ୟଙ୍କୁ ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଓ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ମଧ୍ୟରୁ ରାଜ୍ୟପାଳ ମନୋନୀତ କରିବେ । ଏବେ ଭୁବନେଶ୍ୱରସ୍ଥିତ ପୁରୁଣା ବିଧାନସୌଧରେ ବିଧାନପରିଷଦ କାର୍ଯ୍ୟକ୍ଷମ ହୋଇପାରିବ । ଓଡ଼ିଶା ବିଧାନସଭାର ୪୦୦ରୁ ଊଦ୍ଧ୍ୱର୍ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷର ତଳ ମହଲାକୁ ଉଭୟ ଗୃହର ମିଳିତ ବୈଠକରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ମୁଖ୍ୟକକ୍ଷ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି ।