ସୁନ୍ଦରପଦା ଅମରେଶ ନାୟକ ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର:ଭୁବନେଶ୍ୱର ସୁନ୍ଦରପଦା ଅମରେଶ ନାୟକ ହତ୍ୟା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି । ଆଜି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶଙ୍କର ବସ୍ତିଆକୁ ଗିରଫ କରାଯାଇଛି । 

ଗତ ଦୀପାବଳି ରାତ୍ରରେ ବାଣ ଫୁଟାକୁ କେନ୍ଦ୍ର କରି ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ହାଉସିଂ ବୋର୍ଡ କଲୋନୀରେ ଗୋଟିଏ ଗୋଷ୍ଠୀ ବାଣ ଫୁଟାଇବା ସହିତ ଭୋଜି କରୁଥିଲେ । ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀ ସେଠାରେ ପହଁଚି ଭୋଜି ନ କରିବାକୁ କହିଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ଭିତରେ ଝଗଡ଼ା ବଢ଼ିଥିଲା । ଶେଷରେ ରଘୁଆ ବୋଲି ଜଣେ ବ୍ୟକ୍ତି ପ୍ରଥମେ ବନ୍ଧୁକ ଓ ପରେ ମୁନା ନନ୍ଦ ଏବଂ ବବୁଲୁ ଭୁଜାଲି ଆଣି ପହଁଚିଯାଇଥିଲେ । ଭୋଜି କରୁଥିବା ଗୋଷ୍ଠୀଙ୍କୁ ଗୋଡ଼ାଇ ଥିଲେ । ଏହି ସମୟରେ ଜଣେ ଯୁବକ ଜୀବନ ବଞ୍ଚାଇ ଯାଇ ଅମରେଶଙ୍କ ଘରେ ପଶି ଯାଇଥିଲେ । ଏତିକିବେଳେ ଅମରେଶ ଘରୁ ବାହାରି ଗଣ୍ଡଗୋଳ ନ କରିବାକୁ ବାରଣ କରିବାରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଥିଲେ । ପୂର୍ବରୁ ମଧ୍ୟ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଥିଲା । ତେବେ ଏୟାରଫିଲ୍ଡ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଓ ଭୁଜାଲିକୁ ଜବତ କରିଥିଲା । ଏହି ହତ୍ୟାକାଣ୍ଡରେ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ସାମିଲ ଥିବା କୁହାଯାଇଥିଲା । 

ତେବେ ଆଜି ପୋଲିସକୁ ବଡ ସଫଳତା ମିଳିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ବସ୍ତିଆ ଓରଫ ଡିଜେ ରକକୁ ପୋଲିସ ଗିରଫ କରିଛି । ସେ ଘଟଣା ପରଠୁ ଫେରାର ହୋଇଯାଇଥିଲା ।