ଭୁବେନଶ୍ଵର: ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଭୁବନେଶ୍ଵରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଚିବାଳୟ ଯାଇ ଭେଟିଛନ୍ତି। ସୌଜନ୍ୟମୂଳକ ସାକ୍ଷାତରେ ସରକାରଙ୍କୁ ସେ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।
ଏହି ସାକ୍ଷାତକାର ପରେ ସେ କହିଛନ୍ତି ଯେ, ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ଜିତିବା ପରେ କେବେ ଭେଟିନଥିଲି। ଆଜି ଭେଟିଲି ଓ ଅଭିନନ୍ଦନ ଜଣାଇଲି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସୁନ୍ଦର ଓ ସକରାତ୍ମକ ଆଲୋଚନା ହେଲା। ଭୁବନେଶ୍ଵରର ଉନ୍ନତି ପାଇଁ ସେ ସାଂସଦ ଭାବେ ରାଜ୍ୟ ସରକାରଙ୍କୁ ଯଥା ସମ୍ଭବ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି। ଏହା ସହିତ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି। ବିକାଶରେ କୌଣସି ଦଳନଥାଏ, ପରସ୍ପର ସହ ମିଶି କାମ କରିବାକୁ ହେବ ବୋଲି ଅପରାଜିତା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ଅପରାଜିତା ଷଡ଼ଙ୍ଗୀ ପ୍ରଶାସନିକ ସେବାରୁ ଅବସର ନେଇ ବିଜେପିରେ ସାମିଲ ହୋଇଥିଲେ। ସେ ଭୁବନେଶ୍ଵର ଲୋକସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବସର ପ୍ରାପ୍ତ ଆଇପିଏସ ଅଫିସର ଅରୂପ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ।