ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହେବେ ଭୂପେଶ ବଘେଲ

ରାୟପୁର : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହେବେ ଭୂପେଶ ବଘେଲ । ଆଜି ରାୟପୁରରେ କଂଗ୍ରେସ ବିଧାୟକ ଦଳ ବୈଠକରେ ବଘେଲଙ୍କ ନାଁରେ ମୋହର ବାଜିଛି । ଏହାସହିତ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଟିଏସ୍ ସିଂହଦେଓଙ୍କୁ ପଛରେ ପକାଇ ଭୂପେଶ ବଘେଲ ବାଜି ମାରିନେଇଛନ୍ତି । ସେ ଆସନ୍ତାକାଲି ଅପରାହ୍ନ ୪ଟା ୩୦ରେ  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ  ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ବଘେଲ ହେଉଛନ୍ତି କୁର୍ମୀ ସଂପ୍ରଦାୟର ନେତା। ସେ ରାଜ୍ୟର ପାଟନ୍  ବିଧାନସଭା ଆସନରୁ ଜିତିଛନ୍ତି । ଦୀର୍ଘ ୧୫ ବର୍ଷ ପରେ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି । ୯୦ ସଦସ୍ୟ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ କଂଗ୍ରେସ ୬୮ଟି ଆସନରେ ଜିତିଛି । ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ।