ଭୋଗରାଇରେ ତିନି ତଲାକ୍‌ ପରେ ବିଷ ପିଆଇଲେ

ଭୋଗରାଇ: ଅଭାବନୀୟ! ଅପ୍ରତ୍ୟାଶିତ! ଜଣେ ମହିଳା ସ୍ବାମୀଙ୍କଠାରୁ ତିନି ତଲାକ ଶୁଣିଲେ। ଶାଶୂଘର ଲୋକ ତାଙ୍କୁ ଘରୁ ବାହାରିଯିବାକୁ ବାଧ୍ୟ କଲେ। ହେଲେ ସେଥିରେ ସଫଳ ହୋଇପାରିଲେ ନାହିଁ। ଶେଷ‌ରେ ସେମାନେ ସଂପୃକ୍ତ ମହିଳାଙ୍କୁ ବିଷ ପିଆଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛନ୍ତି। ତେବେ ଏହି ଘଟଣା ପରେ ୩୦ ଜୁଲାଇ ୨୦୧୯ରେ ତିନି ତଲାକ୍‌ ଏକ ବଡ଼ ଅପରାଧ ବୋଲି ଯେଉଁ ଆଇନ ପ୍ରଣୟନ ହୋଇଥିଲା, ତାହା କେବଳ ଆଇନରେ ରହିଯାଇଥିବା ପ୍ରମାଣ ମିଳିଛି।

ସୂଚନା ଅନୁସାରେ; ବାଲେଶ୍ବର ଜିଲ୍ଲା ଭୋଗରାଇ ‌ବସ୍ତିର ଆୟୁବ ଖାଁ ତାଙ୍କ ଝିଅ ଖୁସବୁଙ୍କୁ କମର୍ଦ୍ଦା ଥାନା ଅନ୍ତର୍ଗତ ଅରୁହାବୃତ୍ତି ମିଆଁପାଟଣା ଗାଁ’ର ଶେଖ ସଲିମୁଦ୍ଦିନଙ୍କ ପୁଅ ରହିମୁତ ଖାଁ’ଙ୍କ ସହ ଅଢ଼େଇ ବର୍ଷ ପୂର୍ବେ ବିବାହ ଦେଇଥିଲେ। ମାତ୍ର ବିବାହର କିଛି ମାସ ପରେ ଜ୍ୱାଇଁ ରହିମତ ଓ ତାଙ୍କ ପରିବାର ଲୋକ ଅଧିକ ଯୌତୁକ ଦାବି କରି ଖୁସବୁଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଏନେଇ ଅନେକଥର ଗାଁ’ରେ ବୈଠକ ବସିବା ସହ ସମାଧାନ ହୋଇଥିଲା। ହେଲେ କିଛି ଫଳ ମିଳିନଥିଲା। ଖୁସବୁଙ୍କ ପ୍ରତି ନିର୍ଯାତନା କମିବାର ନାମ ନେଉନଥିଲା। ଏପରି ସମୟରେ ୮ ଦିନ ପୂର୍ବରୁ ରାଜ୍ୟ ବାହାରେ ରହି କାମ କରୁଥିବା ରହିମୁତ ଫୋନ୍‌ ଯୋଗେ ପତ୍ନୀ ଖୁସବୁଙ୍କୁ ତଲାକ ଦେଇଥିଲେ। ହେଲେ ଖୁସବୁ ସ୍ୱାମୀଙ୍କ ତଲାକୁ ନମାନି ତଥା ପରିବାର ଲୋକଙ୍କ ‌ନିର୍ଯାତନା ସହି ନିଜର ଛୋଟ ଝିଅକୁ ଧରି ଶାଶୂଘରେ ପଡ଼ିରହିଥିଲେ।

ଆଜି ସକାଳେ ଶ୍ବଶୁର ଶେଖ ସଲାଙ୍କ ସହ ଶାଶୂ, ଦେଢ଼ଶୁର, ଯାଆ ଓ ଦିଅର ମିଶି ତିନି ତଲାକ ପରେ ଏଠାରେ କାହିଁକି ଅଛୁ ବୋଲି କହି ଖୁସବୁକୁ ମାଡ଼ ମାରିବା ସହ ଜବରଦସ୍ତ ବିଷ ପିଆଇ ଦେଇଥିଲେ। ଫଳରେ ଖୁସବୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏନେଇ ଖବର ପାଇବା ପରେ ଜଣେ ସମ୍ପର୍କୀୟ ପହଂଚି ତାଙ୍କୁ ନେଇ ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଖୁସବୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ଖୁସବୁଙ୍କ ମାଆ ଫୁଲ ବିବି କମର୍ଦ୍ଦା ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି।