ଜାନୁଆରୀ ୬ରୁ ଭିତରକନିକା ବନ୍ଦ

ରାଜନଗର : ବିଦେଶାଗତ ପକ୍ଷୀ ଏବଂ ବଉଳା କୁମ୍ଭୀରଙ୍କ ଗଣନା ଦୃଷ୍ଟିରୁ ଆସନ୍ତା ଜାନୁଆରୀ ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ଦୀର୍ଘ ୯ ଦିନ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଭିତରକନିକା ଜାତୀୟ ଉଦ୍ୟାନ ପରିଭ୍ରମଣ ପାଇଁ ନିଷେଧ କରାଯାଇଛି । ସୁଦୂର ଫ୍ରାନ୍ସ, ସାଇବେରିଆ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ମଙ୍ଗୋଲିଆ, ସାଉଥ୍ଆଫ୍ରିକା ପ୍ରଭୃତି ଶୀତପ୍ରଧାନ ଦେଶଗୁଡ଼ିକରୁ ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ହଜାର ହଜାର ବିଦେଶାଗତ ପକ୍ଷୀଙ୍କ ସବୁଠୁ ନିରାପଦ ସ୍ଥାନ ଭିତରକନିକାର ଆର୍ଦ୍ରଭୂମିରେ ସମାଗମ ହୋଇଛନ୍ତି । ଭିତରକନିକା ଜାତୀୟ ଉଦ୍ୟାନ ସମେତ ସାତଭାୟାର ବିସ୍ତୀର୍ଣ୍ଣ ଜଳାଶୟ, ରାଇପାଟିଆ, ମଠଆଡ଼ିଆ, ଗୁପ୍ତିଘାଟ, ହଂସିଣା ଘାଟ ଏବଂ ବତିଘରର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମିରେ ରାଜନଗର ବନବିଭାଗ ପକ୍ଷରୁ ପକ୍ଷୀଗଣନା କରାଯିବ ।

ଏହି ଗଣନାରେ ୧୨ଟି ଟିମ୍ ସାମିଲ ହେବେ । ରାଜ୍ୟର ବିଶିଷ୍ଟ ପକ୍ଷୀ ବିଶାରଦ ମାନେ ଯୋଗଦେବେ । ସେହିପରି ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ଆବହମାନ କାଳରୁ ବସବାସ କରୁଥିବା ବଉଳାକୁମ୍ଭୀର ଗଣନା କାର୍ଯ୍ୟ ମଧ୍ୟ ଏକା ସମୟରେ କରାଯିବ । ଓଡ଼ିଶାର ବିଶିଷ୍ଟ ବଉଳାକୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୮ଟି ଟିମ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ । ସଞ୍ଜ ନଇଁଆସିବା ଏବଂ ସିନ୍ଦୂରା ଫାଟିବା ପୂର୍ବରୁ କୁମ୍ଭୀର ମାନଙ୍କର ଗଣନା କାର୍ଯ୍ୟ ପୂର୍ବଭଳି କରାଯିବ । ଜୁଆର ଛାଡ଼ିବା ପରେ ହିଁ ଗଣନା କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଜାନୁଆରୀ ୫ ତାରିଖ ଦିନ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ହେନ୍ତାଳ ଓ ବନୀ ଭବନରେ ପକ୍ଷୀ ଏବଂ କୁମ୍ଭୀର ଗଣନାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି ।