ଇସ୍ତଫା ଦେଲେ ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ

ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା

ସମ୍ବଲପୁର : ରାଜନୀତିରେ ଯୋଗ ଦେବେ ଡାକ୍ତର ଅଶ୍ବିନୀ ପୂଜାହାରୀ ।  ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ ଏଭଳି କିଛି ଆଭାସ ଛାଡିଛନ୍ତି । ଆଜି ସେ ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାର ନିଷ୍ପତ୍ତି ନେବାରେ ଅହେତୁକ ବିଳମ୍ବ କରିବାରୁ ଇସ୍ତଫା ଦେଇଛି । ଭୀମସାରକୁ ସୁଧାରିବାକୁ ଯାଇ ଷଡଯନ୍ତ୍ରର ଶିକାର ହୋଇଛି ବୋଲି ସେ କହିଛନ୍ତି । ଯଦି ସୁଯୋଗ ମିଳେ ରାଜନୀତିରେ ଯୋଗ ଦେବି । ଏହା ସହ ଜାତୀୟ ଦଳରେ ଯୋଗ ଦେବା ନେଇ ଇଶାରା ଦେଇଛନ୍ତି । ଏ ନେଇ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନେଇପାରେ ବୋଲି ପୂଜାହାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଭିମ୍ ସାର ନିର୍ଦ୍ଦେଶକ ଥିବା ଡାକ୍ତର ପୂଜାହାରୀଙ୍କ କାର୍ଯ୍ୟକଳାପ ନେଇ ଭିମ୍ ସାରର ପିଜି ଛାତ୍ରଛାତୀମାନେ ଅସନ୍ତୁଷ୍ଟ ଥିଲେ। ଏହା ସହ ଲୁଣ ଚିକିତ୍ସା ନେଇ ମଧ୍ୟ ବିବାଦରେ ପଡିଥିଲେ ପୂଜାହାରୀ । ତେଣୁ ତାଙ୍କ ବିରୋଧରେ ଜୁନିୟର ଡାକ୍ତରମାନେ ଆନ୍ଦୋଳନ କରିଥିଲେ। ଗତ ଡିସେମ୍ବର ମାସ ୭ ତାରିଖରେ ଡା. ପୂଜାହାରୀଙ୍କୁ ଛୁଟିରେ ଯିବାକୁ କହିଥିଲେ ରାଜ୍ୟ ସରକାର । ଏସବୁକୁ ନେଇ ଅଶ୍ବିନୀ ପୂଜାହାରୀଙ୍କୁ ସୋକଜ୍ ନୋଟିସ୍ ଦିଆ ଯାଇଥିଲା । ଏହା ଉପରେ ସେ ଜବାବ ଦେଇଥିଲେ । ଏ ନେଇ କୌଣସି ପଦକ୍ଷେପ ରାଜ୍ୟ ସରକାର ନ ନେବାରୁ ଡାକ୍ତର ପୂଜାହାରୀ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।