ଆଇଏଏସ ଅଫିସର, ବରିଷ୍ଠ କବି ବିଷ୍ଣୁପଦ ସେଠୀଙ୍କୁ ଭୀମଭୋଇ ସମ୍ମାନ

ସନ୍ଥକବି ଭୀମଭୋଇଙ୍କ ସ୍ମୃତି ସନ୍ଧ୍ୟା

କଟକ :  ବରିଷ୍ଠ ପ୍ରଶାସକ,ଆଇଏଏସ ଅଫିସର, ବିଶିଷ୍ଠ କବି, ତଥା ଲେଖକ ଇଂ. ବିଷ୍ଣୁପଦ ସେଠୀଙ୍କୁ ଭୀମଭୋଇ ସମ୍ମାନରେ ସମ୍ମାନିତ କରାଯାଇଛି । ସାରଳା ସାହିତ୍ୟ ସଂସଦ ପକ୍ଷରୁ  କଟକର ସାରଳା ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ସେଠୀଙ୍କୁ ଏହି ସମ୍ମାନଜନକ ସମ୍ମାନରେ ସମ୍ମାନୀତ କରାଯାଇଛି । ସମ୍ମାନ ସ୍ୱରୂପ ତାଙ୍କୁ ଭୀମ ଭୋଇଙ୍କ ପ୍ରତିକୃତି, ତାମ୍ରଫଳକ ଓ ଉପଢ଼ୌକନ ଦିଆଯାଇ ସଂବର୍ଦ୍ଧିତ କରାଯାଇଛି ।

ଶ୍ରୀ ସେଠୀଙ୍କ ସାରସ୍ୱତ କୃତି ମଧ୍ୟରେ କୁଆଡ଼େ ଯିବି, ମୋ ଶବ୍ଦର ଜଗତ, ସନ୍ଥକବି ଭୀମଭୋଇ, ଆମ ଓଡ଼ିଶାର ଦେବାଦେବୀ ପୀଠ, ବିୟଣ୍ଡ ଫିଲିଙ୍ଗସ୍, ଓଡ଼ିଶାର ଆଦିବାସୀ ପ୍ରଭୃତି ପୁସ୍ତକ ବାଣୀଭଣ୍ଡାରକୁ ସମୃଦ୍ଧ କରିଛି । ସେ ଜଣେ ଦକ୍ଷ ଆଇଏଏସ ଅଫିସର ହୋଇଥିବାବେଳେ ସମ୍ପ୍ରତି ସ୍ୱତନ୍ତ୍ର ରିଲିଫ କମିଶନର ଓ ବାଣିଜ୍ୟକର କମିଶନର ଭାବେ କାର୍ଯ୍ୟରତ । ସମ୍ପ୍ରତି ସଂଗଠିତ ଫାନି ମହାବାତ୍ୟାର ମୁକାବିଲା ଦିଗରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ଜାତିସଂଘ ଓ ଭାରତ ସରକାରଙ୍କ ସମେତ ଦେଶ ବିଦେଶ ଉଚ୍ଚ ପ୍ରଶଂସା କରିଛନ୍ତି । ସେ ଆରଇସି ରାଉରକେଲାରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ଏବଂ ନିଟି ମୁମ୍ବାଇରୁ ଏମଟେକ୍ ଲାଭ ପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ ।

ସନ୍ଥକବି ଭୀମଭୋଇଙ୍କ ସ୍ମୃତି ସଂଧ୍ୟା ସ୍ଥାନୀୟ ସାରଳା ଭବନ ଠାରେ  ଅନୁଷ୍ଠିତ ହୋଇଯାଇଛି । ସାରଳା ସାହିତ୍ୟ ସଂସଦ ପକ୍ଷରୁ ଏହି ଉତ୍ସବକୁ କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ତଥା ପଦ୍ମଭୂଷଣ ରମାକାନ୍ତ ରଥ ଉଦ୍ଘାଟନ କରିଥିଲେ । ଉଦ୍ଘାଟକ ତଥା ମୁଖ୍ୟଅତିଥି ଶ୍ରୀ ରଥ ତାଙ୍କ ଅଭିଭାଷଣରେ ଭୀମଭୋଇ ଜଣେ ଯୋଗଜନ୍ମା ଓ ପ୍ରତିଭାଶାଳୀ କବି ଥିଲେ ବୋଲି ମତଦେବା ସହ ମହିମା ଧର୍ମର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ସଂସଦର ସଭାପତି ଇଂ. ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ଆୟକର ମୁଖ୍ୟ ଆୟୁକ୍ତ କବି ଶରତ ଦାଶ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭୀମଭୋଇଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ସାହିତ୍ୟିକ ସହଦେବ ସାହୁ ଭୀମଭୋଇଙ୍କୁ ମହିମା ଧର୍ମର ଶ୍ରେଷ୍ଠ ପ୍ରଚାରକ ଭାବେ ଅଭିହିତ କରି ମହିମା ସ୍ୱାମୀଙ୍କ ଅପାର କରୁଣାରୁ ସେ ବିଶେଷ କବିତ୍ୱ ପ୍ରତିଭାର ଅଧିକାରୀ ହୋଇପାରିଥିବା କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ସୋଆର ପ୍ରାକ୍ତନ କୁଳପତି ପ୍ରଫେସର ଡକ୍ଟର ରାଜେନ୍ଦ୍ର ପ୍ରସାଦ ମହାନ୍ତି ଭୀମଭୋଇ ଅସଂଖ୍ୟ ଜଣାଣ ଚଉତିଶା ରଚନା କରି ବେଶ ପ୍ରସିଦ୍ଧି ଲାଭ କରିଥିବା କହିଥିଲେ । ଭୀମଭୋଇଙ୍କ ସରଳ କବିତା ରଚନା କରିବାରେ ଏକ ଅଲୌକିକ ଶକ୍ତିଥିଲା । ଉପାସନାର ଏକାଗ୍ରତା ଓ ଆତ୍ମସନ୍ତୋଷ ଭାବ ତାଙ୍କର ସରଳ ବ୍ୟକ୍ତିତ୍ୱକୁ ଉଜ୍ଜୀବିତ କରି ରଖିଛି ବୋଲି ମୁଖ୍ୟବକ୍ତା ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପିକା ଡକ୍ଟର ସଂଘମିତ୍ରା ବେହେରା କହିଥିଲେ । ଏହି ଅବସରରେ ସଂସଦ ପକ୍ଷରୁ କବି ଓ ପ୍ରଶାସକ ଇଂ. ବିଷ୍ଣୁପଦ ସେଠୀଙ୍କୁ ଭୀମଭୋଇ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ମାନ ସ୍ୱରୂପ ତାଙ୍କୁ ଭୀମ ଭୋଇଙ୍କ ପ୍ରତିକୃତି, ତାମ୍ରଫଳକ ଓ ଉପଢ଼ୌକନ ଦିଆଯାଇଥିଲା । ଚୌଧୁରୀ ସତ୍ୟ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ମଞ୍ଜୁଶ୍ରୀ ଶାସ୍ତ୍ରୀ ମାନପତ୍ର ପାଠ କରିଥିଲେ । ପ୍ରଫେସର ଡାକ୍ତର ନୀରଦ କୁମାର ଗଚ୍ଛାୟତ, ଇଂ. ରମାକାନ୍ତ ପ୍ରଧାନ, ଅଧ୍ୟାପକ ନିର୍ମଳ ଚନ୍ଦ୍ର ପହୀ, ବନଶ୍ରୀ ମହାପାତ୍ର, ବ୍ରଜକିଶୋର ବେଉରା, ବିଭୁପ୍ରସାଦ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।