ଏସଆରସି ବିଷ୍ଣୁପଦ ସେଠୀଙ୍କୁ ମିଳିବ ଭୀମଭୋଇ ସମ୍ମାନ

କଟକ : ସାରଳା ସାହିତ୍ୟ ସଂସଦ ପକ୍ଷରୁ ଚଳିତ ବର୍ଷର ବିଶିଷ୍ଟ କବି ତଥା ଭାରତ ସରକାରଙ୍କ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମର୍ଯ୍ୟାଦାଜନକ ଭୀମଭୋଇ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ଜୁଲାଇ ୧ରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଶ୍ରୀ ସେଠୀଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ସଂସଦ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଶ୍ରୀ ସେଠୀଙ୍କ ସାରସ୍ୱତ କୃତି ମଧ୍ୟରେ କୁଆଡ଼େ ଯିବି, ମୋ ଶବ୍ଦର ଜଗତ, ସନ୍ଥକବି ଭୀମଭୋଇ, ଆମ ଓଡ଼ିଶାର ଦେବାଦେବୀ ପୀଠ, ବିୟଣ୍ଡ ଫିଲିଙ୍ଗସ୍, ଓଡ଼ିଶାର ଆଦିବାସୀ ପ୍ରଭୃତି ପୁସ୍ତକ ବାଣୀଭଣ୍ଡାରକୁ ସମୃଦ୍ଧ କରିଛି । ସେ ଜଣେ ଦକ୍ଷ ଆଇଏଏସ ଅଫିସର ହୋଇଥିବାବେଳେ ସମ୍ପ୍ରତି ସ୍ୱତନ୍ତ୍ର ରିଲିଫ କମିଶନର ଓ ବାଣିଜ୍ୟକର କମିଶନର ଭାବେ କାର୍ଯ୍ୟରତ । ସମ୍ପ୍ରତି ସଂଗଠିତ ଫାନି ମହାବାତ୍ୟାର ମୁକାବିଲା ଦିଗରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ଜାତିସଂଘ ଓ ଭାରତ ସରକାରଙ୍କ ସମେତ ଦେଶ ବିଦେଶ ଉଚ୍ଚ ପ୍ରଶଂସା କରିଛନ୍ତି । ସେ ଆରଇସି ରାଉରକେଲାରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ଏବଂ ନିଟି ମୁମ୍ବାଇରୁ ଏମଟେକ୍ ଲାଭ ପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ ବୋଲି ସଂସଦ ପକ୍ଷରୁ ଇଂ. ପ୍ରଭାକର ସ୍ୱାଇଁ ସୂଚନା ଦେଇଛନ୍ତି । ସନ୍ଥକବି ଭୀମଭୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଂସଦ ପକ୍ଷରୁ ଏହି ସମ୍ମାନ ଜଣେ କବିଙ୍କୁ ଦିଆଯାଇଥାଏ ।