ଭୀମ୍ ଆର୍ମିର ମୁଖ୍ୟଙ୍କୁ ହାଜତକୁ ନେଲା ପୋଲିସ

ସିଏଏ ଆଇନକୁ ବିରୋଧ କରୁଥିବା ଅଭିଯୋଗରେ

ନୂଆଦିଲ୍ଲୀ: ଆଜି ସକାଳୁ ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ପୋଲିସ ହାଜତକୁ ନେଇଛି । ତେବେ ସେ ଗତକାଲି ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ । ତେବେ ପୋଲିସ ତାଙ୍କୁ ହାଜତକୁ ନେବା ପାଇଁ ଯାଇଥିବାବେଳେ ସେ ଖସି ଜାମା ମସଜିଦ୍ କୁ ପଳାଇଥିଲେ । ତେବେ ଆଜି ମସଜିଦରୁ ବାହାରିବା ପରେ ପୋଲିସ ତାଙ୍କୁ ହାଜତକୁ ନେଇଛି ।

ପ୍ରକାଶ ଯେ, ଶୁକ୍ରବାର ଆଜାଦ ଦରିୟାଗଞ୍ଜ ଅଂଚଳରେ ପ୍ରତିବାଦ କରୁଥିବା ବେଳେ ଦିଲ୍ଲୀ ପୋଲିସ କବଳରୁ ଖସିଯାଇ ଜାମା ମସ୍‌ଜିଦ୍‌କୁ ଚାଲିଯାଇଥିଲେ।

ଶୁକ୍ରବାର ସନ୍ଧ୍ୟାରେ ଦରିୟାଗଞ୍ଜ ଅଂଚଳରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ବେଳେ ସଂଘର୍ଷ ଘଟିବାରୁ ତିନି ଜଣ ନାବାଳକ ସମେତ ୪୦ ଜଣରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଦରିୟାଗଞ୍ଜ ଥାନାରେ ଦଙ୍ଗା ଏବଂ ପୋଡ଼ାଜଳା ମାମଲା ରୁଜୁ କରାଯାଇଛି।

ସଂଘର୍ଷରତ ଆନ୍ଦୋଳନକାରୀଙ୍କୁ ଛତ୍ରଭଙ୍ଗ କରାଇବାକୁ ପୋଲିସ ଲାଠି ଚାର୍ଜ କରିବା ସହ ପାଣି ମାଡ଼ କରିଥିଲା। ଫଳରେ ବିକ୍ଷୋଭକାରୀମାନେ ଟେକାପଥର ଫିଙ୍ଗିବା ସହ ପୋଡ଼ାଜଳା ଆରମ୍ଭ କରିଥିଲେ। ଟେକାପଥର ଫିଙ୍ଗା ଓ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅନ୍ୟୂନ ୪୬ ଜଣ ଲୋକ ଆହତ ହୋଇଛନ୍ତି।