ଅଲବିଦା ଅଟଳଜୀ

ନୂଆଦିଲ୍ଲୀ :ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ଆଜି ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଯାଇଛି । ଯବାନଙ୍କ ୨୧ ତୋପ ସଲାମୀ, ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ଓ ଗୀତା ପାଠ ଏବଂ ଲକ୍ଷାଧିକ ଲୋକଙ୍କ ‘ଅଟଳଜୀ ଅମର ରହେ’ ଧ୍ୱନି ଭିତରେ ତାଙ୍କ ଚିତାରେ ଅଗ୍ନି ସଂଯୋଗ କରାଯାଇଥିଲା । ଅଟଳଜୀଙ୍କ ପାଳିତା କନ୍ୟା ନମିତା ଭଟ୍ଟାଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ । ଏହି ସମୟରେ ଶେଷକୃତ୍ୟରେ ଉପସ୍ଥିତ ଥିବା ଦେଶ ବିଦେଶର ବହୁ ନେତା ଓ ପଦାଧିକାରୀ ଦଣ୍ଡାୟମାନ ହୋଇ ଶେଷ ସମ୍ମାନ ଜଣାଇବା ସହ ଏହି ମହାନ ନେତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ।

ପ୍ରଖ୍ୟାତ ଜନନାୟକ, ବିଚକ୍ଷଣ ବାଗ୍ମୀ, ବିଶିଷ୍ଟ କବି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ବିଲୀନ ହୋଇଯାଇଛି । ଦିଲ୍ଲୀର ଯମୁନା ନଦୀ କୂଳ ସ୍ମୃତିସ୍ଥଳରେ ତାଙ୍କୁ କୃତଜ୍ଞ ଦେଶବାସୀ ଅଶ୍ରୁଳ ବିଦାୟ ଦେଇଛନ୍ତି । ଅଟଳଜୀ ଆଉ ସଶରୀରରେ ନଥିଲେ ମଧ୍ୟ ତାଙ୍କର ଅଟଳ ବିଚାର, ସିଦ୍ଧାନ୍ତ ଓ ନୈତିକ ମୂଲ୍ୟବୋଧ ସର୍ବଦା ଦେଶବାସୀଙ୍କୁ ମାର୍ଗଦର୍ଶନ କରିବ ।

 

 

 

 

ଶେଷକୃତ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ଜାତୀୟ ଓ ଆଞ୍ଚଳିକ ସ୍ତରର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଭୁଟାନର ରାଜା ଜିଗ୍ମେ ଖେସର୍ ନାମ୍ଗ୍ୟାଲ୍ ୱାଙ୍ଗ୍ଚୁକ୍, ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ୍ କାର୍ଜାୟୀ, ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୱାଲି ମଧ୍ୟ ଉପସ୍ଥିତ ରହିଥିଲେ । ଚିତାରେ ଅଗ୍ନି ସଂଯୋଗ ପୂର୍ବରୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତୃବୃନ୍ଦ ଓ ୩ ବାହିନୀର ମୁଖ୍ୟ ଅଟଳଜୀଙ୍କ ପ୍ରତି ଶେଷ ସମ୍ମାନ ଜଣାଇଥିଲେ । ଏଥିପୂର୍ବରୁ ଆଜି ସକାଳେ ଅଟଳଜୀଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ଅଣାଯାଇ ଦୀନଦୟାଲ ଉପାଧ୍ୟାୟ ମାର୍ଗସ୍ଥିତ ବିଜେପି ମୁଖ୍ୟାଳୟରେ ରଖାଯାଇଥିଲା । ସେଠାରେ ଦଳର ତୁଙ୍ଗ ନେତା ଓ କର୍ମୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ପରେ ଅପରାହ୍ନ ୨ଟାରେ ବିଜେପି ମୁଖ୍ୟାଳୟରୁ ସ୍ମୃତିସ୍ଥଳ ଅଭିମୁଖେ ଆରମ୍ଭ ହୋଇଥିଲା ଅନ୍ତିମ ଯାତ୍ରା । ଏଥିରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଲୋକଙ୍କ ଗହଣରେ ଶବାଧାର ପଛେ ପଛେ ଚାଲିଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ । ଦିବଂଗତ ନେତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କର ସମର୍ଥକଙ୍କ ମଧ୍ୟରେ ଠେଲାପେଲା ହେବା ଦେଖାଯାଇଥିଲା । ତେବେ ‘ଅଟଳଜୀ ଅମର ରହେ’ ଧ୍ୱନିରେ ସମଗ୍ର ପରିବେଶ ମୁଖରିତ ହୋଇ ଉଠିଥିଲା । ସମସ୍ତଙ୍କ ଆଖିରୁ ଝରିଯାଉଥିଲା ଲୁହ । ଏଭଳି ଏକ ଶୋକାକୁଳ ପରିବେଶ ମଧ୍ୟରେ ଶବାଧାର ସ୍ମୃତିସ୍ଥଳରେ ଅପରାହ୍ନ ୪ଟାରେ ପହଞ୍ôଚଥିଲା । ଠିକ୍ ସନ୍ଧ୍ୟା ୫ଟାରେ ଚିତାରେ ଅଗ୍ନି ସଂଯୋଗ କରାଯାଇଥିଲା । ଏଥିପୂର୍ବରୁ ପାର୍ଥିବ ଶରୀରରେ ଆଚ୍ଛାଦିତ ହୋଇଥିବା ତ୍ରିରଙ୍ଗାକୁ ଅଟଳଜୀଙ୍କ ନାତୁଣୀ ନିହାରିକାଙ୍କୁ ହସ୍ତାନ୍ତର କରାଯାଇଥିଲା । ଗୋଟିଏ ପଟେ ସୂର୍ଯ୍ୟାସ୍ତ ହେଲାବେଳେ ଅନ୍ୟପଟେ ଭାରତୀୟ ରାଜନୀତିର ଅନ୍ୟତମ ସୂର୍ଯ୍ୟ ଅସ୍ତମିତ ହୋଇଥିଲେ । ବିଶିଷ୍ଟ କବି ଅଟଳଜୀଙ୍କ ଚିତା ଜଳିଲା ବେଳେ ତାଙ୍କର କବିତାର ପଂକ୍ତି ପୃଷ୍ଠଭାଗରୁ ଶୁଣାଯାଉ ଥିଲା, ‘ମୌତ୍ କି ଉମ୍ର କ୍ୟା ହୈ? ଦୋ ପଲ୍ ଭି ନହିଁ, ଜିନ୍ଦେଗୀ ସିଲ୍ସିଲା, ଆଜ୍ କଲ୍ କି ନହିଁ । ମେଁ ଜିଭର୍ ଜିୟା, ମେଁ ମନ୍ସେ ମରୁଁ, ଲୌଟ୍କର୍ ଆଉଙ୍ଗା, କୁଚ୍ସେ କ୍ୟୋଁ ଡରୁଁ?’