ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ : କାଲି କଂଗ୍ରେସର ଭାରତ ବନ୍ଦ ଡାକରା

ଭୁବନେଶ୍ବର : କାଲି କଂଗ୍ରେସର ଭାରତ ବନ୍ଦ ଡାକରା । ସକାଳ ୬ଟାରୁ ଅପରାହ୍ନ  ତିନିଟା ଯାଏ ସାରା ରାଜ୍ୟରେ ଚକାବନ୍ଦ କରିବ କଂଗ୍ରେସ । ବନ୍ଦକୁ ବାମ ଦଳ ସମର୍ଥନ କରୁଥିବାବେଳେ ବିଜେଡି ପ୍ରତିବାଦ ସପକ୍ଷରେ ଥିବାବେଳେ ବନ୍ଦ ଠିକ ନୁହେଁ ବୋଲି କହିଛି । ଆଉ ବିଜେପିର ଆରୋପ ଉଭୟ କଂଗ୍ରେସ ଓ ବିଜେଡି ରାଜନୈତିକ ଫାଇଦା ପାଇଁ ବନ୍ଦ ପାଳୁଛନ୍ତି । ସେପେଟେ ଟ୍ବିଇନ୍ ସିଟିରେ ବନ୍ଦ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୋଲିସ ।

କାଲି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ସାରାଦେଶରେ କଂଗ୍ରେସ ଦେଇଛି ଭାରତ ବନ୍ଦ ଡାକରା । ସକାଳ ୬ଟାରୁ  ଅପରାହ୍ନ ୩ଟା ଯାଏ ଭାରତ ବନ୍ଦକୁ ସଫଳ କରିବାକୁ ଚକା ଜାମ କରିବ।  ବନ୍ଦ ସମୟରେ ଜରୁରୀ କାଳିନ ସେବାକୁ ବାଦ ଦେବା ସହ ଶାନ୍ତି ପୂଣ୍ଣ ଭାବେ ବନ୍ଦ ପାଳନ କୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି। ଏହି ସମୟରେ ସୋମବାର ବିଧାନସଭାରେ ଦଳର କୈଣସି ବିଧାୟକ ଉପସ୍ଥିତ ରହିବେ ନାହିଁ, ତେଣୁ ଗୃହକୁ ମୁଲତବୀ କରିବାକୁ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ବିଜେଡି ଡାକରା ଦେଇଥିବା ତିନି ଦିନିଆ ପ୍ରତିବାଦ ସରିଛି । ଶେଷ ଦିନରେ ବି ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ଦଳର ନେତା ଓ କର୍ମୀ ବିକ୍ଷୋଭ କରିଥିଲେ। ହେଲେ ତେଲ ଦର ପ୍ରତିବାଦକୁ ସମର୍ଥନ କରୁଥିବା ବିଜେଡି କଂଗ୍ରେସର ଭାରତ ବନ୍ଦକୁ ସମର୍ଥନ କରିବନି ବୋଲି ସ୍ପଷ୍ଟ କରିଦେଇଛି । ବିଧାନସଭା ମୁଲତବି ରଖିବା ପ୍ରସଙ୍ଗରେ ବିଜେଡି କହିଛି ତାହା ବାଚସ୍ପତିଙ୍କ ନିଷ୍ପତ୍ତି । ସେପଟେ ତେଲ ଦରକୁ ନେଇ ଉଭୟ ବିଜେଡି ଓ କଂଗ୍ରେସର ପ୍ରତିବାଦକୁ ସମାଲୋଚନା କରି ବିଜେପି କହିଛି ଉଭୟ ଦଳ ଭିତରେ ଭିତିରି ପ୍ରେମ ଚାଲିଛି।

ସେପଟେ ଭାରତ ବନ୍ଦ କୁ ଆଖିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ ।ଏହି ସମୟରେ ବିଧାନସଭା ଚାଲୁଥିବାରରୁ କମିଶନରେଟ ପୋଲିସ ଟ୍ବିନସିଟିରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ହିଂସା କାଣ୍ଡ ଘଟାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଡିସିପି।

ଭାରତ ବନ୍ଦ ସମୟରେ ଅଘଟଣ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଏଥିରେ ପିଲାମାନେ ଯେପରି ଅଡୁଆରେ ନ ପଡନ୍ତି ସେଥିଲାଗି ସୋମବାରକୁ  ରାଜ୍ୟର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି  ରାଜ୍ୟ ସରକାର ।