ସଡ଼କ ଦୁର୍ଘଟଣା: ୨ ମୃତ ୨୭ ଯାତ୍ରୀ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ଛକଠାରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୭ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ଅନ୍ୟମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ଜଣାଯାଇଛି ।

ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ବନ୍ତ ଛକଠାରେ ଯାତ୍ରୀ ବସ ସହିତ ଏକ ଦ୍ରୁତଗାମୀ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବସଟି ଭଦ୍ରକ ଜିଲ୍ଲାର ଧାମନଗରରୁ ଉର୍ସ ପର୍ବ ସାରି  ବାସୁଦେବପୁର ଅଭିମୁଖେ ଫେରୁଥିଲା । ବନ୍ତ ଛକଠାରେ ଉଭୟ ବସ ଓ ଟ୍ରକ ମୁହାଁମୁହିଁ ହୋଇଥିଲା । ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୨୭ ଜଣ ଯାତ୍ରୀ ଆହତ ହୋଇଥିଲେ ।

ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା  । ସ୍ଥାନୀୟ ଲୋକଙ୍କର ସହାୟତାରେ ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛି । ଆହତମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ ମଧ୍ୟ ଲାଗିଥିବା ବେଳେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ହସ୍ପିଟାଲକୁ ପହଂଚିଥିଲା । ଦୁର୍ଘଟଣା ପରେ ବହୁ ସମୟ ଧରି ଜାତୀୟ ରାଜପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା ।