ଆଜିଠୁ ଭଦ୍ରକରେ ସମସ୍ତ ସୀମା ସିଲ୍‌

ଭଦ୍ରକ: କୋରୋନା କୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଛି । ସହର ଭିତରକୁ ଓ ଜିଲ୍ଲା ଭିତରକୁ ଯେପରି ବାହାର ଲୋକ ପ୍ରବେଶ କରିବେ ନାହିଁ, ସେଥିଲାଗି ପୋଲିସ ନିୟମକୁ କଡ଼ାକଡ଼ି କରାଯାଇଛି।

ଆଜି ସକାଳ ୯ ଟା ପରେ ସହରର ମାର୍କେଟ ପୁରା ଫାଙ୍କା କରିବାକୁ ନିର୍ଦେଶ ଦିଆଯାଇଛି। କେବଳ ମେଡିକାଲ କେଶରେ ବାହାରକୁ ଆସିବାକୁ ନିର୍ଦେଶ ରହିଛି। ଗତକାଲିଠାରୁ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି।

ଅପରପକ୍ଷରେ ଆଜି ଭଦ୍ରକରେ ଅନୁଷ୍ଠିତ ହେବାକୁ ଥିବା କଳସ ଶୋଭାଯାତ୍ରା ଫିକା ପଡ଼ିଛି। ରାମ ନବମୀ ଉପଲକ୍ଷେ ଆଜି ଭଦ୍ରକରେ ଶ୍ରୀରାମ ନବମୀ ମହାଯଜ୍ଞ କଳସ ଶୋଭାଯାତ୍ରା ହେବାର ଥିଲା। ଏଥିରେ ହଜାର ହଜାର ଲୋକ ଯୋଗ ଦେଇଥାନ୍ତେ। ହେଲେ କରୋନା ମୁକାବିଲା ଲାଗି ଲକଡାଉନ୍ ଘୋଷଣା କରାଯାଇଥିବା ହେତୁ ଶ୍ରୀରାମ ନବମୀ ମହାଯଜ୍ଞ କଳସ ଶୋଭାଯାତ୍ରା ସ୍ଥଗିତ ହୋଇଛି। ଏହାକୁ ନିରାଡମ୍ବର ଭାବେ ପାଳନ କରାଯାଉଛି।