ସ୍ୱାଧିନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଆଜି ପୂର୍ବତନ ସାଂସଦ, ପଦ୍ମଶ୍ରୀ ଏବଂ ସ୍ୱାଧିନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ ଘଟିଛି । ଆଜି ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲରେ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । ତେବେ ମୃତ୍ୟୁ ବେଳକୁ ତାଙ୍କ ବୟସ ୯୮ ହୋଇଥିଲା ।

ଶ୍ରୀ ପଟ୍ଟନାୟକ ଜଣେ ଆଗଧାଡ଼ିର ସ୍ୱାଧୀନତା ସଂଗ୍ରାମୀ ଥିବା ବେଳେ ସାଂସଦ ଭାବେ ୩ ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ସେ ୧୯୬୧, ୧୯୬୬ ଓ ୧୯୭୮ରେ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଥିଲେ । ଶ୍ରୀ ପଟ୍ଟନାୟକ ଥିଲେ କଂଗ୍ରେସ ଦଳର ଜଣେ ପୁରୁଖା ନେତା । ସେ ୨୦୧୮ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ସ୍ୱର୍ଗତ ଭବାନୀ ପଟ୍ଟନାୟକ ୧୯୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ ଅନ୍ତର୍ଗତ ଅନ୍ଧିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ଜଣେ ବର୍ଷୀୟାନ୍‌ ନେତାଙ୍କୁ ହରାଇବା ସହ କଂଗ୍ରେସ ଦଳ ଜଣେ ପୁରୁଖା ନେତାଙ୍କୁ ହରାଇଲା । ଶ୍ରୀ ପଟ୍ଟନାୟକଙ୍କ ବିୟୋଗରେ ସବୁ ମହଲରୁ ଶୋକ ପ୍ରକାଶ ପାଇଥିବା ବେଳେ ଦଳମତ ନିର୍ବିଶେଷରେ ବହୁ ନେତା ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।