ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର:ଚଳିତ ବର୍ଷ ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ । ବିହାରରୁ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ପ୍ରଭାବରେ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା । କେରଳରେ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଏହା ନିର୍ଦ୍ଧାରିତ ସମୟରେ ଓଡ଼ିଶାରେ ପହଞ୍ଚିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଜୁନ୍ ୧୧ରେ ମୌସୁମୀ ଓଡ଼ିଶା ଆସିବା ସମ୍ଭାବନା ରହିଛି । ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏନେଇ ସ୍ପଷ୍ଟ ସୂଚନା ଦିଆଯିବ । ବିହାରରୁ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଥିବାରୁ କାଳବୈଶାଖୀ ଜନିତ ବର୍ଷା ହେଉଛି ।  ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି  । କଳାହାଣ୍ଡି, ବରଗଡ଼, ସୋନପୁର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି । ଏଥିସହ କେରାପୁଟ, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର, ଅନୁଗୁଳ, ଦେବଗଡ଼ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ବର, ଢେଙ୍କାନାଳ, କଟକ, ଭଦ୍ରକ ଜିଲ୍ଲାରେ ବର୍ଷା ସହ ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ ।

୨୦୧୯ ରେ ଜୁନ୍ ୮ରେ କେରଳରେ ପହଞ୍ଚିଥିବା ବେଳେ ୨୧ରେ ଓଡ଼ିଶା, ୨୦୧୮ରେ ମେ’ ୨୯ରେ କେରଳ ଓ ଜୁନ୍ ୮ରେ ଓଡ଼ିଶା, ୨୦୧୭ରେ ମେ’ ୩୦ରେ କେରଳ ଓ ଜୁନ୍ ୧୪ରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିଲା ।