ବଳରାମପୁରରେ ବିଅର ଫ୍ୟାକ୍ଟ୍ରି ପାଇଁ ଗଛ କଟା ବନ୍ଦକରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ,ବିରୋଧୀ କହିଲେ ଚାପରେ ସରକାର

ଭୁବନେଶ୍ବର  : ଢ଼େଙ୍କାନାଳ ବଳରାମପୁରରେ ବିଅର ଫ୍ୟାକ୍ଟ୍ରି ପାଇଁ ଗଛ କଟା ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ଏହା ସହିତ ଘଟଣାର RDC ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  । ବିଅର ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ଗତକାଲି ଗଛକଟା ଆରମ୍ଭ କରିଥିଲା ସ୍ଥାନୀୟ ପ୍ରଶାସନ । ଗଛ କଟାକୁ ଗ୍ରାମବାସୀ ବିରୋଧ କରିବାରୁ  ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । P&A ବଟଲ୍ସ ପ୍ରାଇଭେଟ ଲିମିଟେଡ ବିୟର ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ଇଡକୋରୁ ୧୨ ଏକର ଜମି ନେଇଛି । ଏହି ଜମିରେ ୯୫୬ଟି ଶାଳ ଓ ଶାଗୁଆନ ଗଛ ରହିଛି । ତେବେ ଗାଁରେ ପାଖରେ ବିୟର ଫ୍ୟାକ୍ଟ୍ରିକୁ ବିରୋଧ କରୁଛନ୍ତି । ସେପଟେ ମୂଲ୍ୟବାନ ଗଛକୁ ଜଗିଆସିଥିବା ଗ୍ରାମବାସୀ ଏସବୁ ଗଛକୁ କଟିବାକୁ ବି ବିରୋଧ କରିଥିଲେ। ଯାହାକୁ ନେଇ ଉତ୍ତେଜନା ମୂଳକ ସ୍ଥିତି ଉପୁଜି ଥିଲା। ସେପଟେ ଗତକାଲି ଅବକାରୀ ମନ୍ତ୍ରୀ  ଶଶୀଭୂଷଣ ବେହେରା କହିଥିଲେ ଜଙ୍ଗଲ ଜମିରେ ମଦ ଫ୍ୟାକ୍ରି ପାଇଁ ଅନୁମତି ଦିଆଯାଇନାହିଁ । ସେହି ଜମି ରାଜସ୍ବ ବିଭାଗର । ସେଥିପାଇଁ ଏନଓସି ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି  ଆଇନ ଅନୁସାରେ କେନ୍ଦ୍ରର ବିନା ଅନୁମତିରେ ଗଛ କଟାଯାଇ ପାରିବନି । ଜୋର ଜବରଦସ୍ତ ଗଛ କଟା ହୋଇଛି, ଯାହା  ବେଆଇନ  ଓ ଅପରାଧ । ମୁଖ୍ୟମନ୍ତ୍ରୀଙ୍କ ଯେଉଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ତାହା  ସ୍ବାଗତଯୋଗ୍ୟ । ହେଲେ ତାଙ୍କ ଅଜାଣତରେ କିଏ ଏହି ଦୁଃସାହସ କଲା ? ଗଛ କଟାର ପ୍ରମାଣ ଥାଇ ସେ ତଦନ୍ତ ନିର୍ଦ୍ଦେଶ କାହିଁକି ଦେଲେ ?  ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇପାରିଥାନ୍ତେ । ବିଜେପି ବି ସମାଲୋଚନା କରିଛି । ସେପଟେ ବିରୋଧୀଙ୍କ ଜବାବ ରଖି ବିଜେଡି କହିଛି, ମୁଖ୍ୟମନ୍ତ୍ରୀ ଗଛକଟା ବନ୍ଦ ପାଇଁ ପାଇଁ ନିର୍ଦ୍ଦେଶ ଦେବା ସହ RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।