ଭୁବନେଶ୍ବର : ବହୁ ଚର୍ଚ୍ଚିତ ପିପିଲି ବେବିନା ବେହେରା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ୨ ଭାଇ ନିର୍ଦ୍ଦୋଷ ସାବ୍ୟସ୍ତ ।ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟରେ ଅଭିଯୁକ୍ତ ୨ ଭାଇ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ବେଳେ ବେବିନା ଏହି ମାମଲାରେ ନ୍ୟାୟ ପାଇପାରିନାହିଁ ।
ବେବିନାକୁ ମିଳିଲାନି ନ୍ୟାୟ । ନିର୍ଦ୍ଦୋଷରେ ଖଲାସ ହେଲେ ଅଭିଯୁକ୍ତ ।ନ୍ୟାୟ ପାଇଁ ଚାହିଚାହିଁ କୋମାରେ ପଡ଼ିରହି ପ୍ରାଣ ହରାଇଥିବା ପିପିଲି ପୀଡ଼ିତା ବେବିନା ପୁଣିଥରେ ନ୍ୟାୟରୁ ବଞ୍ଚିତ ।ପ୍ରମାଣ ଅଭାବରୁ ଅଭିଯୁକ୍ତ ୨ ଭାଇଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । କିଛି ବର୍ଷ ତଳେ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିବା ବେବିନା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ୨ ଭାଇ ନିର୍ଦ୍ଦୋଷ ପ୍ରମାଣିତ ହେବାପରେ ପୀଡ଼ିତାଙ୍କୁ ନ୍ୟାୟ ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ । ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ୨ ଭାଇ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ନିର୍ଦ୍ଦୋଶ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍।
୨୦୧୧ ନଭେମ୍ବର ୨୯ । ପିପିଲି ଥାନା ଅର୍ଜୁନଗୋଦା ଗାଁର ବେବିନା ବେହେରାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା ।ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯିବା ପରେ ସେ କଟକ ବଡ଼ ମେଡିକାଲରେ ଦୀର୍ଘଦିନ ଧରି କୋମାରେ ପଡ଼ି ଚିକିତ୍ସିତ ହେଉଥିଲେ ।୬ ମାସ ଧରି କଟକ ଏସ୍ସିବି ମେଡିକାଲରେ କୋମା ଅବସ୍ଥାରେ ଚିକିତ୍ସିତ ହେବାପରେ ଜୁନ୍ ୨୧, ୨୦୧୨ରେ ଆଖିବୁଜିଥିଲେ ୧୯ ବର୍ଷୀୟା ପିପିଲି ଗଣବଳାତ୍କାର ପୀଡ଼ିତା ବେବିନା ବେହେରା ।ବେବିନାଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଥିଲା ଚହଳ । ପିପିଲି ଥାନାର ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଚାକିରୀରୁ ବହିଷ୍କାର କରାଯାଇଥିଲା । ପିପିଲି ଥାନା ପୋଲିସ ଏହି ଘଟଣାରେ ପ୍ରଥମ ମାମଲା ରୁଜୁ କରିବାକୁ ମନା କରିଦେବା ପରେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଥିଲା ।ପରେ ଅବଶ୍ୟ ଅମୂଲ୍ୟ ଚମ୍ପତ୍ତିରାୟ ଏହା ବିରୋଧରେ ସ୍ୟାଟ୍ରେ ଆବେଦନ କରିଥିଲେ ।ସ୍ୟାଟ୍ ଏବଂ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ପୁଣିଥରେ ଚାକିରୀରେ ଅବସ୍ଥାପିତ କରାଯାଇଥିଲା ।