ଭାଲୁ ଆକ୍ରମଣରେ ୩ ଗୁରୁତର ୩ ଆହତ

ନୀଳଗିରି: ଦୁଇଟି ଭାଲୁ ଗାଁରେ ପଶି ଲୋକଙ୍କୁ ଆକ୍ରମଣ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛିl ଏଥିରେ ଗ୍ରାମର ୩ଜଣ ଗୁରୁତର ହୋଇଥିବା ବେଳେ ୩ଜଣ ଆହତ ହୋଇଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାର ନୀଳଗିରି ବନ ବିଭାଗ ଅଞ୍ଚଳରେ ଥିବା ଓପଦା ବ୍ଲକ୍ ଅନ୍ତର୍ଗତ ବାଉଁଶବଣିଆ ଗ୍ରାମରେ ଦୁଇଟି ଭାଲୁ ଗାଁରେ ପଶି ଲୋକଙ୍କୁ ଆକ୍ରମଣ କରିଛି। ଆଜି ଭୋର ୫ଟା ବେଳେ ପ୍ରଥମେ ବାଉଁଶବଣିଆ ଗ୍ରାମର ଜଳଧର ବିଶ୍ୱାଳଙ୍କ ଘରେ ଭାଲୁ ପଶି ତାଙ୍କ ପତ୍ନୀ ସ୍ନିଗ୍ଧାଙ୍କୁ ଆକ୍ରମଣ କରିଥିଲା। ଏହା ଦେଖି ଜଳଧର ଭାଲୁ ଆକ୍ରମଣରୁ ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଦୌଡ଼ି ଆସିଥିଲେ । ହେଲେ ତାଙ୍କୁ ବି ଦୁଇଟି ଭାଲୁ ଆକ୍ରମଣ କରିଥିଲେ।

ତାପରେ ସେହି ଗ୍ରାମର ପରମାନନ୍ଦ ମିଶ୍ର , ନିତ୍ୟାନନ୍ଦ ମିଶ୍ର, ବନମାଳୀ ଜେନା ଓ କମଳାକାନ୍ତ ଜେନାଙ୍କୁ ବି ଦୁଇ ଭାଲୁ ଆକ୍ରମଣ କରି ଜଙ୍ଗଲକୁ ଚାଲିଯାଇଥିଲେ। ଏମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ନିଧା ବିଶ୍ୱାଳଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାର ସୂଚନା ମିଳିଛି। ଖବର ପାଇ ନୀଳଗିରି ରେଞ୍ଜର ରୁଦ୍ର ରଞ୍ଜନ ନାୟକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।